ଭୁବନେଶ୍ବର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ପାଇଁ ଷୋଡଶ ମଣ୍ଡପ ରହିଛି । ତନ୍ମଧ୍ୟରୁ ଚାହାଣି ମଣ୍ଡପ ସ୍ବତନ୍ତ୍ର । ଏହାର ନାମକାରଣ ଏଥିପାଇଁ ହୋଇଛି ଯେ ଏହି ମଣ୍ଡପ ଉପରେ ରଥଯାତ୍ରା ଅନ୍ତିମ ପର୍ବରେ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୁଏ । ଚାହାଣି ଅର୍ଥାତ୍ ଦୃଷ୍ଟି ପକାଇବା, ମା' ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଏହି ମଣ୍ଡପରେ ବସି ଚାହିଁଥାଆନ୍ତି । ଏହାପରେ ବନ୍ଦାପନା ହୋଇଥାଏ । ଏହା ମହାପ୍ରଭୁଙ୍କ ମାନବୀୟ ଲୀଳାରେ ଦାମ୍ପତ୍ୟ ଭାବର ଅନନ୍ୟ ନିଦର୍ଶନ ।
ଶ୍ରୀମନ୍ଦିର ଆନନ୍ଦ ବଜାରସ୍ଥିତ ସ୍ନାନ ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଏହି ମଣ୍ଡପଟି ଅବସ୍ଥିତ । ବାହୁଡା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ ଚାହାଣି ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ନିମନ୍ତେ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି । ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏହିଠାରେ ରଥ ପ୍ରତିଷ୍ଠା କର୍ମ ଅନୁଷ୍ଠିତ ହୋଇଥାଏ ।
ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ ମଧ୍ୟରୁ ଅନ୍ୟ ମଣ୍ଡପ ସବୁ ହେଲା ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମୁକ୍ତି ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ରତ୍ନ ମଣ୍ଡପ (ରତ୍ନ ବେଦୀ), ଦୋଳ ମଣ୍ଡପ (ଦୋଳ ବେଦୀ) ଓ ଯଜ୍ଞ ମଣ୍ଡପ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ