ପୁରୀ: ଲକଡାଉନ ସମୟରେ ନିଆରା ବିବାହ। ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ଵନ କରିବା ସହ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି ବିହାହ କାର୍ଯ୍ୟ । ମଙ୍ଗଳବାର ପିପିଲିରେ ଖୋର୍ଦ୍ଧା ବାଲିଅନ୍ତା ବେନୁପୁର ପତି ସାହିର ପ୍ରମୋଦ କୁମାର ପତି ପିପିଲି କଣ୍ଟି ଗ୍ରାମର ସୋନାଲି ଦାଶଙ୍କୁ ବିବାହ କରିଛନ୍ତି । ଆଶା ରଖିଥିଲେ ମେ’ 3 ତାରିଖ ଲକଡାଉନ ଅବଧି ସରିବା ପରେ ବିବାହ କାର୍ଯ୍ୟ ମନମୁତାବକ କରିବେ। ହେଲେ ଲକଡାଉନ କଟକଣା ବଢିବା ପରେ ବିବାହକୁ ସ୍ଥଗିତ ନ ରଖି ସରକାରୀ କଟକଣା ନିୟମକୁ ମାନି ବିବାହ ପାଇଁ ପ୍ରସ୍ତୁତ ହୋଇଥିଲେ ପ୍ରମୋଦଙ୍କ ପରିବାର ।
ବିବାହ ଦିନ ନା ବାଜା ବାଜିଛି, ନା ରୋସଣୀ କରି ବର ଆସିଛି । ବିନା ବରଯାତ୍ରୀରେ ବିବାହ ହୋଇଛି । ଏହାଛଡା ଲକଡାଉନ ସମୟରେ ସାମାଜିକ ଦୂରତାର ବାର୍ତ୍ତା ଦେବା ସହିତ ବିନା ଯୌତୁକ ଓ ବିନା ରୋସଣୀରେ ବିବାହ ହୋଇପାରିବ ବୋଲି ବାର୍ତ୍ତା ଦେଇଛନ୍ତି ଉଭୟ ପରିବାର । ଘର ଭିତରେ ମାତ୍ର କେଇ ଜଣଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନବଦମ୍ପତି । ସେପଟେ ଦେଶରେ ଲକଡାଉନ କଟକଣା ଜାରି ହେବା ପରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ରହିଛି ସରକାରଙ୍କ କଟକଣା।
ଏଥିପାଇଁ ବିଭିନ୍ନ ସାମାଜିକ ଉତ୍ସବ ଉପରେ ରୋକ ଲଗାଇଛନ୍ତି ସରକାର । ମାତ୍ର କୋରନା ଆମକୁ ଅନେକ କିଛି ଶିକ୍ଷା ଦେଇଛି । ବିବାହ ଭଳି ପବିତ୍ର ବନ୍ଧନ ପାଇଁ ବାଜା ରୋସଣୀ ଓ ଅଧିକ ଭିଡର କିଛି ଆବଶ୍ୟକତା ନାହିଁ । ଏହିଭଳି କାର୍ଯ୍ୟକ୍ରମକୁ ସବୁ ସମୟରେ ସମସ୍ତେ ମାନିବା ଉଚିତ ବୋଲି ଉଭୟ ବର ଓ କନ୍ୟା ପରିବାର କହିଛନ୍ତି । ଲକଡାଉନ କଟକଣା ବିଳାସପୂର୍ଣ୍ଣ ବିବାହ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବା ବେଳେ ଅନେକ ନିଜର ବିବାହ କାର୍ଯ୍ୟକୁ ସ୍ଥଗିତ ରଖିଥିଵା ବେଳେ ପ୍ରମୋଦଙ୍କ ପରିବାର ସରକାରୀ କଟକଣାକୁ ମାନି ନିରାଡମ୍ବର ବିବାହ କାର୍ଯ୍ୟ କରି ଏହା ସମ୍ଭବ ବୋଲି ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ