ପୁରୀ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ସାତ ଶଙ୍ଖ ଜଶୁଆପୁର ଠାରେ ଓଲଟିଲା ସାରଳା ନାମକ ଘରୋଇ ବସ । ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ବେଳେ ଦିନ ସାଢ଼େ 12ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ଆହତ ଯାତ୍ରୀଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ ଦୁର୍ଘଟଣାରେ ଯାତ୍ରୀମାନଙ୍କର ବିଶେଷ କ୍ଷୟକ୍ଷତି ଘଟିନଥିବା ଜଣାଯାଇଛି ।
ବସଟି ପୁରୀରୁ ଭୁବନେଶ୍ବର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟି ହେବା ଫଳରେ ଓଲୋଟି ପଡ଼ିଥିଲା । ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ( ପ୍ରାୟ 55 ଜଣ) ଯାତ୍ରା କରୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ଡ୍ରାଇଭର ଢୁଳେଇ ପଡିବା କାରଣରୁ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବିଷୟରେ ପୋଲିସ୍ ଖବର ପାଇ ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ୍ ।
ରଥଯାତ୍ରା ସମୟରେ ପୁରୀକୁ ଅନେକ ଭକ୍ତ, ପର୍ଯ୍ୟଟକ ଆସୁଥିବା ବେଳେ ବସମାଲିକ ମାନେ ବେପରୁଆ ଭାବେ ଅଧିକ ଯାତ୍ରୀ ନେଇ ବସ ଚଳାଚଳ କରାଇବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବସ ଗୁଡ଼ିକରୁ ଜୋରିମାନା ଆଦାୟ କରାଯିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।
ଇଟିଭି ଭାରତ, ପୁରୀ