ପୁରୀ: ଶ୍ରୀମନ୍ଦିରରେ ପଡ଼ିଲା ରକ୍ତି ଛିଟା । ସେବାୟତଙ୍କ ମଧ୍ୟରେ ହାତାହାତି ପରେ ଏଭଳି ଅଶୋଭନୀୟ ପରିବେଶ ସୃଷ୍ଟି ହୋଇଛି । କୋଠ ଭୋଗକୁ ନେଇ ଶ୍ରୀମନ୍ଦିର ଆନନ୍ଦ ବଜାରରେ ସୁଆର ଓ କୋଠ ଭୋଗ ସେବାୟତ ହାତାହାତି ହୋଇଛନ୍ତି । ସୁଆର ସେବାୟତର ଆକ୍ରମଣରେ କୋଠ ଭୋଗ ସେବାୟତ ନୃସିଂହ ଆପଟଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ସୁଆର ସେବାୟତର ଆକ୍ରମଣରେ କୋଠ ଭୋଗ ସେବାୟତ ନୃସିଂହ ଆପଟଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । ଏହାପରେ କୋଠ ଭୋଗ ସେବାୟତଙ୍କ ପାଲଟା ଆକ୍ରମଣରେ ସୁଆର ସେବାୟତ ହରେକୃଷ୍ଣ ମହାନ୍ତିଙ୍କ ହାତରେ ମଧ୍ୟ ଆଘାତ ଲାଗିଛି । ଘଟଣାକୁ ନେଇ ଉଭୟେ ସିଂହଦ୍ଵାର ଥାନାକୁ ଯାଇଛନ୍ତି । ଏନେଇ ସିଂହଦ୍ଵାର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପ ସରିବା ପରେ ସୁଆର ସେବାୟତ କୋଠ ଭୋଗ ସେବାୟତଙ୍କୁ ଖେଇ ଆକାରରେ କୋଠ ଭୋଗ ଦେଇଥିଲେ।
ଏହା ବି ପଢନ୍ତୁ- ହ୍ୟାଣ୍ଡବଲ ଖେଳି ଦେଶ ପାଇଁ ଆଣିଥିଲେ ଗୌରବ, ଆଜି ସାଜିଛନ୍ତି ସିକ୍ୟୁରିଟି ଗାର୍ଡ୍
ତେବେ ଖେଇ ଆକାରରେ ଯେତିକି ମାତ୍ରାରେ କୋଠ ଭୋଗ ମିଳିବା କଥା ସେତିକି ମିଳିନଥିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟେ ଆନନ୍ଦ ବଜାରରେ ହାତାହାତି ହୋଇଥିଲେ। ଏହି ଘଟଣା ଦେଖି ଆନନ୍ଦ ବଜାରରେ ଥିବା ଭକ୍ତମାନେ ଭୟଭୀତ ହୋଇପଡିଥିଲେ। ତେବେ ଶ୍ରୀମନ୍ଦିର ଭିତରେ ଏଭଳି ଘଟଣା ସବୁ ମହଲରେ ନିନ୍ଦା କରାଯାଇଛି । ଏହି ଘଟଣା ପୁଣି ଶ୍ରୀମନ୍ଦିର ଭୀତରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀମନ୍ଦିର ଭିତରରେ ମାଳମାଳ ପୋଲିସ ଡ୍ୟୁଟିରେ ଥିବା ବେଳେ ଦୁଇ ସେବାୟତଙ୍କ ଭିତରେ କିଭଳି ରକ୍ତାକ୍ତ ସଂଘର୍ଷ ଘଟିଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ପୁରୀ ପୋଲିସ ଶ୍ରୀମନ୍ଦିର ଭିତରେ ସୁରକ୍ଷାକୁ ନେଇ ହାଲୁକା ଭାବେ ନେବା ସାଧାରଣରେ ନିନ୍ଦା କରାଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ଥରେ ଶ୍ରୀମନ୍ଦିରରେ ପଡ଼ିଥିଲା ରକ୍ତ ଛିଟା । ଗତ ବର୍ଷ ମେ ପହିଲାରେ ଶ୍ରୀମନ୍ଦିରରେ ସାମ୍ନାରେ ଜଣେ କିନ୍ନର ଆତ୍ମହତ୍ୟା କରିଥିଲେ । ସିଂହଦ୍ବାର ଗୁମୁଟ ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ । ଜଗନ୍ନାଥ ମନ୍ଦିରରେ ଅନେକ ସୁରକ୍ଷା କର୍ମୀ ଓ ପୋଲିସ ନିୟୋଜିତ ଥିବା ବେଳେ ସେ ଜଗାଦୁଆରରେ କିପରି ଆତ୍ମହତ୍ୟା କଲେ ସେ ନେଇ ପ୍ରଶ୍ନ ଉଠିଥିଲା । ଶ୍ରୀମନ୍ଦିର ଭିତରକୁ ଧାଡ଼ିରେ ଶ୍ରଦ୍ଧାଳୁମାନେ ପ୍ରବେଶ କରୁଥିବା ବେଳେ କିନ୍ନର ଜଣକ ଆତ୍ମହତ୍ୟା କରିଥିଲେ ।
ଇଟିଭି ଭାରତ, ପୁରୀ