ବ୍ରହ୍ମପୁର: ଓଡ଼ିଶା ପାଇଁ ଗର୍ବ ଆଣିବେ ଓଡ଼ିଆ କ୍ରିକେଟର ଶିବୁନ ନନ୍ଦ । ମାତ୍ର 18 ବର୍ଷ ବୟସରେ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଭାରତୀୟ ମୁକବିଧିର ଦଳରେ ସ୍ଥାନ ପାଇ ଆଗକୁ ଟି 20 ସିରିଜ ଖେଳିବାକୁ ଯାଉଛନ୍ତି ଶିବୁନ । ଭଲରେ ସିନା ସେ କଥା କହିପାରୁନାହାନ୍ତି କିନ୍ତୁ କ୍ରିକେଟରେ ସେ ବେଶ ପାରଙ୍ଗମ । କ୍ରିକେଟ ମଇଦାନରେ ବ୍ୟାଟିଂ ହେଉ କି ବୋଲିଂ ସବୁଥିରେ ସେ ଧୁରନ୍ଦର । କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଯୋଗୁଁ ଏବେ ସେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ୟାଉଛନ୍ତି ।
ଭାରତୀୟ ମୁକବଧିର ଦଳରେ ସ୍ଥାନ ପାଇଲେ ବ୍ରହ୍ମପୁର ପୁଅ:
ଜନ୍ମରୁ କଥା କହିପାରୁନାହାନ୍ତି ଶିବୁନ । ଭଗବାନ ସିନା ତାଙ୍କୁ କଥା କହିବା ଶକ୍ତି ଦେଇନାହାନ୍ତି କିନ୍ତୁ ତାଙ୍କ ଭିତରେ ଥିବା କଳା ଆଜି ତାଙ୍କୁ ଆଗକୁ ନେଇଛି । ଯାହା ଫଳରେ ପିଲାଟି ଦିନରୁ ଦେଖିଥିବା ସ୍ବପ୍ନ ଏବେ ପୂରଣ କରିବାକୁ ଯାଉଛନ୍ତି । ଭଲଭାବରେ ଦୁଇ ପଦ କଥା କହିପାରୁନଥିବା ଶିବୁନ ବର୍ତ୍ତମାନ ଭାରତୀୟ ମୂକବଧିର କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ମାର୍ଚ୍ଚ ମାସରେ ନୂଆଦିଲ୍ଲୀ ଠାରେ ଆଯୋଜିତ ହେବାକୁ ଯାଉଥିବା ମୁକବଧିର ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଖେଳିବା ପାଇଁ ଚୟନ ହୋଇଛନ୍ତି ଶିବୁନ୍ ।
Odisha Cricket Association congratulates Sibun Nanda on his incredible achievement of being selected for the Indian Deaf Cricket Team! 🌟 A talented all-rounder from Odisha will represent India in the upcoming T20I Tri-Series and ODI Series. Wishing him great success on this… pic.twitter.com/i5hjVkqMLp
— Odisha Cricket Association (@cricket_odisha) December 23, 2024
କ୍ରିକେଟ ପ୍ରତି ଆଗ୍ରହ ଆଣି ଦେଲା ସଫଳତା:
ଶିବୁନ ନନ୍ଦ... ଘର ବ୍ରହ୍ମପୁର ସହରର ଗେଟ୍ବଜାର ସ୍ଥିତ ରାଧାକୃଷ୍ଣ ବିଲସାହିରେ । ତାଙ୍କ ବାପା ସୁକାନ୍ତ ନନ୍ଦ ଓ ମାଆ ଅନୁରାଧା ନନ୍ଦ । ବାପା ଜଣେ ପୂଜକ । ପୁଅ ଜନ୍ମରୁ କଥା କହିପାରେନା ବୋଲି ବାପା ମାଆ ବହୁତ ଦୁଃଖ କରୁଥିଲେ । କିନ୍ତୁ କ୍ରିକେଟ ପ୍ରତି ପୁଅର ଆଗ୍ରହ ଦେଖି ବାପା ମାଆ ଖୁସି ହେବା ସହ ସହଯୋଗ ମଧ୍ୟ କରିଥିଲେ । ପ୍ରତିଦିନ ସ୍କୁଲ ଛୁଟି ପରେ ଶିବୁନ କ୍ରିକେଟ ଖେଳିବାକୁ ବହାରିପଡିନ୍ତି । ମାତ୍ର 9 ବର୍ଷ ବୟସରୁ କୋଚ ଅମିତ ଦାସ ତାଙ୍କୁ ତାଲିମ ଦେଇ ଆସୁଥିଲେ ।
ଏହା ମଧ୍ୟ ପଢନ୍ତୁ-ଦୃଷ୍ଟିବାଧିତ ଭାରତୀୟ ବିଶ୍ୱକପ୍ କ୍ରିକେଟ ଟିମରେ ୩ ଓଡ଼ିଆ ପୁଅ - T20 BLIND WC
ଶିବୁନଙ୍କ କ୍ରିକେଟ କ୍ୟାରିୟର:
ଭଲ ଖେଳିବାରୁ ୨୦୨୨ ମସିହାରେ ପ୍ରଥମେ ସେ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା । ଏହା ପରେ ସେ ଆଉ ପଛକୁ ଚାହିଁନଥିଲେ । ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ୧୯ ବର୍ଷରୁ କମ କୁଚ ବିହାର କୁଚ ବିହାର ଟ୍ରଫି ଖେଳିଛନ୍ତି ସେ। ବର୍ତ୍ତମାନ ସୁଦ୍ଧା ସେ ଗଞ୍ଜାମ ଜିଲ୍ଲା ପକ୍ଷରୁ କଳାହାଣ୍ଡି କପ ଖେଳି ଆସୁଛନ୍ତି । ଏପରିକି ରାଜ୍ୟ ମୁକବଧୂର ଦଳର ଅଧିନାୟକ ଦାୟିତ୍ଵ ମଧ୍ୟ ତୁଲାଇଥିବା କୁହାଯାଇଛି । ଏଥି ମଧ୍ୟରେ କାଶ୍ମୀର ଠାରେ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ମୁକବଧିର ଦଳରେ ଖେଳିବା ସମୟରେ ଶିବୁନ ୪ଟି ମ୍ୟାଚରୁ ୧୦ଟି ୱିକେଟ ଅକ୍ତିଆର କରିଥିଲେ । ଫଳରେ ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ଦ୍ଵିତୀୟ ସ୍ଥାନରେ ରହି ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଶିବୁନ । ଶିବୁନ ଭାରତୀୟ ଦଳ ପାଇଁ ଚୟନ ହେବା ପରେ ପରିବାରରେ ଖୁସିର ମାହୋଲ ।
ଅଲରାଉଣ୍ଡର ଶିବୁନ ନନ୍ଦ:
ଶିବୁନ ନନ୍ଦ ଦଳରେ ଜଣେ ଅଲରାଉଣ୍ଡର । ପେସ୍ ବୋଲିଂ ସହ ବ୍ୟାଟିଂ ମଧ୍ୟ ଭଲ କରନ୍ତି । ମହେନ୍ଦ୍ର ସିଂହ ଧୋନି ଏବଂ ଯଶପ୍ରୀତ ବୁମ୍ରା ଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି । ଶିବୁନ ଅଣ୍ଡର -୧୬ , ଅଣ୍ଡର-୧୯ କଳାହାଣ୍ଡି କପ୍ ଭଳି ରାଜ୍ୟ ଓ ଜାତୀୟ ସ୍ତରୀୟ ୭୧ ଗୋଟି ମ୍ୟାଚ୍ ଖେଳିଛନ୍ତି । ୬୮୯ ରନ୍ କରିଥିବା ବେଳେ ୭୫ ଗୋଟି ୱକେଟ୍ ସଂଗ୍ରହ କରିଛନ୍ତି । ସେପେଟ ଶିବୁନଙ୍କ ଏଭଳି ସଫଳତାକୁ ନେଇ ଓସିଏ ପକ୍ଷରୁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି। ଶିବୁନ୍ କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ରାଜ୍ୟର ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଶୁଭକାମନା ଜଣାଇଛନ୍ତି ।
ଶିବୁନ ଖେଳିବେ ଅନର୍ଜାତୀୟ ଟି-୨୦ ସିରିଜ ଓ ଦିନିକିଆ:
ଆସନ୍ତା ମାର୍ଚ୍ଚ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ମୁକବଧୂର ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ଖେଳାଯିବ। ଭାରତ ସମେତ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଏହି ସିରିଜରେ ଭାଗ ନେବେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସୀୟ ସିରିଜ ମଧ୍ୟ ଭାରତ ଖେଳିବ । ଉକ୍ତ ଦୁଇଟି ଯାକ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଘୋଷିତ ଭାରତୀୟ ଦଳରେ ବ୍ରହ୍ମପୁରର ଓଡ଼ିଆ ଖେଳାଳି ଭାବେ ଶିବୁନ ନନ୍ଦ ସ୍ଥାନ ପାଇଛନ୍ତି ।
ଶିବୁନଙ୍କ ମାଆ ଅନୁରାଧା ନନ୍ଦ କହିଛନ୍ତି, ''ମୋ ପୁଅ ଆଗକୁ ଭଲ ଖେଳିବ । ତାର ଖେଳ ପ୍ରତି ତା ବାପା ବହୁତ ସହଯୋଗ କରିଛନ୍ତି । ଯେତେବେଳେ ସେ ଜନ୍ମ ହେଲା ଆମେ ଖୁସି ହେଲୁ, ପରେ ଜାଣିଲୁ ସେ କଥା କହି ପାରେନା । କଥା କହିବାକୁ ଟ୍ରେନିଂ ଦିଆଗଲା । ପରେ ସେ ଖନେଇ ଖନେଇ କଥା କହିଲା । ତାକଥା ବୁଝିବାକୁ ବହୁତ କଷ୍ଟ ହୁଏ । ସେ କ୍ରିକେଟ ଖେଳୁଛି ବୋଲି ସମସ୍ତେ ଖୁସି ଅଛନ୍ତି । ''
ଶିବୁନଙ୍କ ଜେଜେ କହିଛନ୍ତି, '' ମୋ ନାତି ଭାରତୀୟ ମୁକବଧିର ଦଳରେ ସ୍ଥାନ ପାଇଛି । ସେ କ୍ରିକେଟ ଖେଳିବାକୁ ଦିଲ୍ଲୀ ଯିବ । ପିଲାଟି ଦିନରୁ ସେ କ୍ରିକେଟ ଖେଳୁଛି । ''
ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ''ମୁଁ ଶିବୁନଙ୍କୁ ଶୁଭେଚ୍ଛା ଜଣାଇଛି । ସେ ଆମ ବ୍ରହ୍ମପୁରର ଗର୍ବ ଓ ଗୌରବ । ସେ ଭଲ କ୍ରିକେଟ ଖେଳୁଛନ୍ତି । ''
ଇଟିଭି ଭାରତ, ବ୍ରହ୍ମପୁର