ପୁରୀ: ରାଜ୍ୟର ଗୁରୁତ୍ବପୁର୍ଣ୍ଣ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ । ପୁରୀ ବିଧାନସଭା ଆସନ ବିଜେପିଠାରୁ ଛଡ଼ାଇ ଆଣିବାକୁ ବିଜେଡିର ସଂକଳ୍ପ । ଜଗନ୍ନାଥ ବଲ୍ଲଭରେ ପୁରୀ ସଦର ବିଜେଡି ପକ୍ଷରୁ ଦଳର 26ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏନେଇ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଦେଵୀ ପ୍ରସାଦ ମିଶ୍ର, ପୁରୀ ସାଂସଦ ପିନାକୀ ମିଶ୍ର, ପୁରୀ ଜିଲ୍ଲା ବିଜେଡିର ସଭାପତି ମହେଶ୍ୱର ମହାନ୍ତି, ବିଜୁ ଯୁବ ଜନତା ଦଳ ଉପ ସଭାପତି ସୁନୀଲ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ଦଳର ଆଗାମୀ କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବ ସେନେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ।
ଗତ 2019 ନିର୍ବାଚନରେ ପୁରୀ ବିଧାନସଭା ଆସନ ଶାସନରେ ବିଜେଡି ପରାଜିତ ହୋଇଥିବା ବେଳେ ଆଗାମୀ 2024 ନିର୍ବାଚନ ଦଳ ବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ନେତାଏ। ସେନେଇ ଦଳୀୟକର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ଦଳର ବରିଷ୍ଠ ନେତାଏ । ବିଜେପି ଦେଶରେ ଘୃଣା ରାଜନୀତି ଆରମ୍ଭ କରି ଦେଶରେ ଧର୍ମ ଧର୍ମ ଭିତରେ ବିଭେଦ ସୃଷ୍ଟି କରୁଛି, ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛି, ଓଡ଼ିଶାକୁ କେନ୍ଦ୍ର ସରକାର ସବୁ କ୍ଷେତ୍ର ରେ ଅବହେଳା କରୁଥିବା ବିଜେଡି ନେତା ଅଭିଯୋଗ କରିଛନ୍ତି । ଏହାକୁ ମୁଦ୍ଦା କରି କର୍ମୀମାନେ ଭୋଟରଙ୍କ ନିକଟତର ହୋଇ ଆସ୍ଥା ଭାଜନ ହେବାକୁ ବରିଷ୍ଠ ନେତାମାନେ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ । ସେହିପରି ପୁରୀ ସଦର ବିଧାନସଭା ଆସନରେ ବିଜେପିକୁ ଭୋଟ ଦେଇ ଭୋଟରମାନେ କିଭଳି ଅସୁବିଧା ଭୋଗୁଛନ୍ତି । ତାହା ବିଷୟରେ ଲୋକ ମାନେ ଅବଗତ ହୋଇ ସାରିଲେଣି । ଏଥିସହ ପୁରୀ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଲୋକମାନେ ଗ୍ରହଣ କରିଥିବା ବେଳେ ଆଗାମୀ ନିର୍ବାଚନରେ ପୁରୀ ବିଧାନସଭା ଆସନରେ ବିଜେଡି ପୁଣିବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ବିଜୁ ଯୁବ ଜନତା ଦଳ ଉପ ସଭାପତି ତଥା ପୁରୀର ନୁଆ ଯୁବ ଚେହେରା ସୁନୀଲ ମହାନ୍ତି ।
ଏନେଇ ବିଜୁ ଯୁବ ଜନତା ଦଳ ଉପ ସଭାପତି ସୁନୀଲ ମହାନ୍ତି କହିଛନ୍ତି, "ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ ପୁରୀରୁ ଆରମ୍ଭ କରିଥିଲେ । ଓଡ଼ିଶାର ସମସ୍ତ ଜିଲ୍ଲାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲା ଦଳ । ସେହି ନିର୍ଦ୍ଦେଶକୁ ମାନି ଆଜି ପୁରୀରେ ଏହି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ।"
ଇଟିଭି ଭାରତ, ପୁରୀ