ସାକ୍ଷୀଗୋପାଳ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁରଙ୍କ ସେନାପଟ ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ଆଜି (ଗୁରୁବାର) ପବିତ୍ର ନିର୍ଜଳା ଏକାଦଶୀ ତିଥିରେ ପରମ୍ପରା କ୍ରମେ ସାକ୍ଷୀଗୋପାଳରୁ ଶ୍ରକ୍ଷେତ୍ରକୁ ନିଆଯାଇଛି । ଏହି ଉପଲକ୍ଷେ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଅଧ୍ୟାତ୍ମିକ ଶୋଭାଯାତ୍ରା ସହିତ ବଉଳକାଠ ଶଗଡିକୁ ବକୁଳବନରୁ ମହାସମାରୋହରେ ମେଲାଣି ଦିଆଯାଇଛି । ଶ୍ରୀମନ୍ଦିର ର ପ୍ରଚଳିତ ପରମ୍ପରା କ୍ରମେ ସକାଳୁ ଶ୍ରୀମନ୍ଦିର ଭୋଇ ସେବକ, ମନ୍ଦିର କର୍ମଚାରୀମାନେ ସାକ୍ଷୀଗୋପାଳରେ ପହଞ୍ଚିଥିଲେ ।
ଚଳିତବର୍ଷ ବିଶ୍ୱନାଥପୁର ଶାସନର ଅମୁଲ୍ୟ ମିଶ୍ର ଓ ମହାଦେବ ମିଶ୍ରଙ୍କ ବଗିଚାରୁ ବଉଳବୃକ୍ଷ ଚୟନ କରାଯାଇଥିଲା । ନିର୍ଦ୍ଧାରିତ ମାପରେ ତିନିଖଣ୍ଡ କାଠଗଣ୍ଡି କଟାଯାଇ ବଳଦ ଶଗଡରେ ବକଳୁବନ ସ୍ଥିତ ସିଦ୍ଧବକୁଳ ମନ୍ଦିରକୁ ଅଣାଯାଇଥିଲା । ଏଥିପାଇଁ ସିଦ୍ଧବଳରାମଙ୍କ ପୀଠରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ବିଜେ କାହାଳୀ, ଘଣ୍ଟ, ମର୍ଦ୍ଦଳ, ହରିନାମ କୀର୍ତ୍ତନ, ସହିତ ହରିବୋଲ ହୁଳହୁଳି ମଧ୍ୟରେ କାଠ ଶଗଡିକୁ ବନ୍ଦାପନା କରିବା ପରେ ମୁଖ୍ୟଅତିଥି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ସବୁଜ ପତାକା ଦେଖାଇ କାଠ ଶଗଡି ଶୋଭାଯାତ୍ରକୁ ମେଲାଣି ଦେଇଥିଲେ । ଏହି ଅବସରରେ ସିଦ୍ଧବକୁଳ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପାରମ୍ପରିକ ସାହିଯାତ, ହରିନାମ କୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, ମୃଦଙ୍ଗବାଦ୍ୟନୃତ୍ୟ, ବୈରଖ ସହିତ ଶ୍ରୀରାଧା ମଣ୍ଡଳ ଏବଂ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ୟାତ୍ମିକ ପଟୁଆରରେ ବକୁଳବନ ଠାରୁ ବାଟମହାବୀର ମନ୍ଦିର ପର୍ଯ୍ୟନ୍ତ ଶେଭାଯାତ୍ରାରେ ସାମିଲ ହୋଇଥିଲେ ।
ପ୍ରକାଶ ଥାଉକି, ଶ୍ରୀଜିଉଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି। ବକୁଳବନରୁ ସଂଗୃହିତ ବଉଳକାଠ ଚିରଟ କରାଯାଇ ସେଥିରେ ଶ୍ରୀ ମନ୍ଦିର ବିଶ୍ୱକର୍ମା ସେବାୟତ ସେନାପଟା ଓ ବାହୁଟ ପ୍ରସ୍ତୁତ କରନ୍ତି । ଦେବସ୍ନାନ ପୁର୍ଣ୍ଣମୀ ଠାରୁ ଶ୍ରୀଗୁଣ୍ଡିଚା ଓ ବହୁଡା ଦିନ ଠାକୁରଙ୍କ ପହଣ୍ଡି ବିଜେ ପୁର୍ବରୁ ସେନପଟା ଓ ବାହୁଟ ଲାଗି କରାଯାଇଥାଏ । ଦଇତାପତି ସେବାୟତ ମାନେ ମନ୍ଦିରକୁ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଉଳ କାଠରେ ନିର୍ମିତ ବହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି । ଶ୍ରୀମନ୍ଦିରର ଗୁପ୍ତ ସେବା ମାନଙ୍କ ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ ।
ପୁରୀ ଯିବା ବାଟରେ ଶ୍ରୀକ୍ଷେତ୍ରର ମୁଖଶାଳା ସଦୃଶ ରହିଥିବା ଷୋଳ ଶାସନ ୩୨ କରବାଡ ପରିବେଷ୍ଟନୀ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ଲୀଳାକ୍ଷେତ୍ର ଭାବରେ ପରିଚିତ ସତ୍ୟବାଦୀ/ସାକ୍ଷୀଗୋପଳ ସହିତ ଶ୍ରୀମନ୍ଦିରର ପାରମ୍ପରୀକ ସମ୍ପର୍କ ରହିଆସିଛି । ଏହି ପରମ୍ପରା ସୃଷ୍ଟିର ପ୍ରଚ୍ଛଦପଟରେ ଭକ୍ତି ଭାବନା ଲୋକମୁଖରେ ଏବେବି ପ୍ରଚାରିତ । ବକୁଳବନର ବଉଳ ବୃକ୍ଷ ମୂଳରେ ତପସ୍ୟା କରୁଥିବା ଜଣେ ସାଧୁଙ୍କ ଭକ୍ତି ଭାବନାକୁ ପରଖିବା ପାଇଁ ଏକଦା ଜଗା ବଳିଆ ଦୁଇଭାଇ ବୁକଳବନକୁ ରାତ୍ରୀ ବିହାର କରିବାକୁ ଆସିଥିଲେ । ବକୁଳବନର ପାଚିଲା ପଣସ ମହାପ୍ରଭୁଙ୍କୁ ଆକର୍ଷିତ କରିବାରୁ ଦୁଇଭାଇ ପାଚିଲା ପଣସ ଖାଇଥିଲେ । ପାଚିଲା ପଣସର ବାସ୍ନା ସିଦ୍ଧ ପୁରଷ ଏହି ସାଧୁ ଜାଣିପାରି ଜଙ୍ଗଲରେ ପସି କେହି ପାଚିଲା ପଣସ ଖାଉଥିବା ସନ୍ଦେହ କରିଥିଲେ । ଠାକୁର ଦୁଇଭାଇ ସିଦ୍ଧ ପୁରୁଷଙ୍କ ନିକଟତର ହେବାରୁ ଅଧିକ ବସ୍ନାବାରି ସାଧୁ କିଏ କିଏ ପଣସ ଚୋରୀ କରୁଛ ବୋଲି ପାଟି କରିଥିଲେ ।
ତୁମକୁ ବଉଳ ବୃକ୍ଷରେ ବାନ୍ଧିବି ସକାଳେ ରାଜାଘର ଲୋକଙ୍କ ନିକଟରେ ହାଜର କରାଇବି ବୋଲି ସିଦ୍ଧବଳରାମ କହିଥିଲେ । ଆମେ ପଣସ ଖାଇନାହୁଁ ଖାଇନାହୁଁ କହି ଦୁଇଭାଇ ସିଦ୍ଧ ପୁରଷଙ୍କୁ ଅଜା ଭାବରେ ଥଟ୍ଟାକରି ତାଙ୍କ ମୁଣ୍ଡରେ ହାତରଖି ରାଣ ଦିଅନ୍ତେ ଜଗା ବଳିଆ ମହପ୍ରଭୁଙ୍କ ସ୍ୱହସ୍ତରେ ଲାଗିଥିବା ପଣସ ଅଠା ସାଧୁଙ୍କ ଜଟାରେ ଲିଗିଯାଇଥିଲା । ବିରକ୍ତ ହୋଇ ସାଧୁ ଜଣକ ଧ୍ୟାନଭଙ୍ଗ କରି ପଣସ ଚୋରଙ୍କୁ ବାନ୍ଧିବାକୁ ଉଦ୍ୟମ କରିବାରୁ ମହାପ୍ରଭୁ ନିଜର ଦିବ୍ୟଲୀଳା ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ସାନିଧ୍ୟ ପାଇ ସାଧୁ କୃତ୍ୟକୃତ୍ୟ ହୋଇ ମହାପ୍ରଭୁଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଭକ୍ତ ଓ ଭଗବାନ ମଧ୍ୟରେ ରହିଥିବା ଏହି ଦିବ୍ୟଲୀଳା ଜନ ମାନସରେ କିଭଳି ପ୍ରତିୟମାନ ହେବ ଏଥି ପାଇଁ ମହାପ୍ରଭୁଙ୍କୁ ନିବେଦନ କରିଥିଲେ । ସେଥିପାଇଁ ପ୍ରତିବର୍ଷ ସ୍ନାନଯାତ୍ରାର ଅବ୍ୟବହିତ ପୂର୍ବରୁ ମହାପ୍ରଭୁଙ୍କ ପହଣ୍ଡିବିଜେ ନିମନ୍ତେ ବାହୁଟ ସେବା ପାଇଁ ସାକ୍ଷୀଗୋପାଳର ବଉଳ କାଠ ଲୋଡା ହୋଇଥାଏ ।
ବକୁଳବନରେ ବଉଳକାଠର ଅଭାବ ଦେଖାଦେଇଥିବାରୁ ଏହି ପରମ୍ପରା ଓ ମହାପ୍ରଭୁ ଜଗାବଳିଆଙ୍କ ଅଜାଘର ସମ୍ପର୍କକୁ ଅତୁଟ ରଖିବା ସହିତ ବକୁଳବନରେ ବଉଳ ବୃକ୍ଷ ରୋପଣ ପାଇଁ ବିଗତ ୧୩ ବର୍ଷଧରି ଉଦ୍ୟମ ଜାରି ରହିଥିବା କହିଛନ୍ତି ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ର । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ସତ୍ୟବାଦୀ ଅଞ୍ଚରେ ରହିଥିବା ସମସ୍ତ ବଉଳବୃକ୍ଷ ଶ୍ରୀଜଗନ୍ନାଥ ମହପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଜନଜାଗରଣ ସୃଷ୍ଟି କରାଯାଉଛି । ବୀରରାମଚନ୍ଦ୍ରପୁର, ଶ୍ରୀରାମଚନ୍ଦ୍ରପୁର, ସେନାପତି ସାହି, ବାସୁକେରା ଓ ସାରୁଗଡିଆ ଗ୍ରାମରୁ ବିଗତ ବର୍ଷ ମାନଙ୍କରେ ବଉଳ ବୃକ୍ଷ ଯୋଗାଇଦେଇ ଅଞ୍ଚଳବାସୀ ସମ୍ପର୍କର ଶଗଡି ଗଡିବାରେ ସହଯୋଗର ହାତ ବଢାଇଛନ୍ତି ।
ସାକ୍ଷୀଗୋପାଳରୁ କୌଶିକ ମହାପାତ୍ର, ଇଟିଭି ଭାରତ