ବ୍ରହ୍ମଗିରି: ସରକାରୀ କଟକଣାକୁ ଫୁ । କଟକଣା ସତ୍ତ୍ବେ ଖୋଲାଗଲା ବାଲି ହରଚଣ୍ଡୀ ମନ୍ଦିର । କୋରୋନା ଯୋଗୁଁ ଦୀର୍ଘ ଦିନ ହେଲା ରାଜ୍ୟରେ ସମସ୍ତ ମନ୍ଦିର ବନ୍ଦ ଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ 23 ତାରିଖରେ ସମସ୍ତ ମନ୍ଦିର ଖୋଲାଯାଇଥିଲା । ହେଲେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଡିସେମ୍ବର 25, 31 ଏବଂ ଜାନୁୟାରୀ 1 ତାରିଖରେ ମନ୍ଦିର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ମନ୍ଦିର ନିକଟରେ ଏକ ବ୍ୟାନର ମଧ୍ୟ ଟଙ୍ଗା ଯାଇଥିଲା ।
ମାତ୍ର 25 ତାରିଖ ଅର୍ଥାତ ଶୁକ୍ରବାର ଦିନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦିନ ତମାମ ମନ୍ଦିର ଖୋଲାଯାଇ ଭକ୍ତମାନେ ନିର୍ଦ୍ବନ୍ଦ୍ବରେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିଛନ୍ତି । ଏପରିକି କିଛି ଭକ୍ତ ମୁହଁରେ ମାସ୍କ ବ୍ୟବହାର ମଧ୍ୟ କରିନାହାନ୍ତି । କୌଣସି ପ୍ରଶାସନିକ ଅଧିକାରୀ ସେଠାରେ ଉପସ୍ଥିତ ନ ଥିବାବେଳେ କେବଳ ଗୋଟିଏ ବ୍ୟାନର ଟାଣି ଦେଇ ନିଜର କାର୍ଯ୍ୟ ତୁଲାଇ ଦିଆଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ