ପୁରୀ: ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୧ ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରି ବାବା ଭାବବିହ୍ଵଳ ହୋଇଥିଲେ । ଏଥି ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ । ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବ ସୁନ୍ଦର ରହିଛି ବୋଲି ସେ କହିବା ସହ ଜାନୁଆରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଷୟରେ ପ୍ରତିକ୍ରିୟା ଦେଇ ସେ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ ।
ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ୱାର ଠାରେ ନିଜ କଠଉ ରଖିଦେଇ ଯାଇଥିଲେ । ଯାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଭକ୍ତଙ୍କ ଉତ୍ସୁକତା ଦେଖିବାକୁ ମିଳିଥିଲା । ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି ଏକ ପିତ୍ତଳର ଗଦା ଉପହାର ଦେଇଥିଲେ। ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ ହଜାର ଟଙ୍କା ହେବ ବୋଲି ସିତେଶ କହିଥିଲେ। ବାବା ଓଡ଼ିଶା ଆସିଲେ ସେ ଏହାକୁ ବାବାଙ୍କୁ ଦେବାପାଇଁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଇଥିଲେ । ବାଗେଶ୍ୱର ବାବାଙ୍କ ଆସିବା ଖବର ଶୁଣି ସେ ପୁରୀ ଆସି ଏହି ଉପହାର ଦେଇଥିଲେ।
ଏହା ମଧ୍ୟ ପଡନ୍ତୁ- ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ପୁରୀରେ ପହଞ୍ଚିଲା ଅକ୍ଷତ କଳସ
ଏହା ମଧ୍ୟ ପଢନ୍ତୁ- ଚୂଡ଼ାନ୍ତ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ
ବାଗେଶ୍ୱର ବାବାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିରଓ ସିଂହଦ୍ୱାରରେ ପ୍ରବଳ ଭିଡ ଜମିଥିଲା । ଏମିତିକି ସିଂହଦ୍ୱାର ଠାରେ ଏକପ୍ରକାର ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ବାଗେଶ୍ଵର ଵାବାଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ବାବା ବେଶ୍ ଖୁସି ଥିବା ସେ କହିଛନ୍ତି। ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ। ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରୀମନ୍ଦିରର କିମ୍ବଦନ୍ତୀ ବିଷୟରେ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ ।
ଇଟିଭି ଭାରତ, ପୁରୀ