ପୁରୀ: ବ୍ରହ୍ମଗିରି ବନାଞ୍ଚଳର ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଆଜି ଭୋର 5ଟା 30ରୁ ପୁରୀ ଜିଲ୍ଲା ବନଖଣ୍ଡର ଡିଏଫଓ ପି.ରାମ ସ୍ବାମୀଙ୍କ ନିର୍ଦେଶ କ୍ରମେ 5ଟି ରେଞ୍ଜରେ ଏକକାଳୀନ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା । ଏଥିରେ 25 ଟି ଟିମ କରାଯାଇଥିବା ବେଳେ ପ୍ରତି ଟିମରେ 4ଜଣ ନିୟୋଜିତ ହୋଇଥିଲେ । ବ୍ରହ୍ମଗିରି ବନାଞ୍ଚଳରେ 4ଟି ଟିମ ଯଥାକ୍ରମେ କପିଳେଶ୍ବରପୁର ଠାରୁ ପଥରପଦା, କାଠୁଆରେଡି ଛକ ଠାରୁ ଖଜୁରିଆ, ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ଗୋଲରା ଏବଂ ସୁନାମୁହିଁ ଠାରୁ ବରକୁଦି ପଯ୍ୟନ୍ତ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ । ଏହି ଗଣନା କେବଳ ଚିଲିକା ନିକଟବର୍ତ୍ତୀ ଜଳାଶ୍ରୟ ଓ ଗହୀର ବିଲର ଏବଂ ବାହ୍ୟ ଚିଲିକାରେ କରଯାଇଥିଲା ।
ଏଥିରେ ପକ୍ଷୀ ବିଶାରଦ, ସ୍ବେଚ୍ଛାସେବୀ ଏବଂ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ । ବାଇନାକୁଲାର, କ୍ୟାମେରା ଓ ରେଞ୍ଜ ଡିଭାଇଡରକୁ ପକ୍ଷୀ ଗଣନାରେ ବ୍ୟବହାର କରଯାଇଥିଲା । ଆଜି ସକାଳୁ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିବା ଫଳରେ ପକ୍ଷୀ ଗଣନାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ ଚନ୍ଦ୍ର ଶେଖର ସାହୁ ସୁଚନା ଦେବା ସହିତ ଗୁରୁବାର ଦିନ ଡିଏଫଓ ସବିଶେଷ ତଥ୍ୟ ଘୋଷଣା କରିବେ ବୋଲି ଜଣାଇଥିଲେ ।
ପୂର୍ବରୁ ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତ ଥର ଚିଲିକାକୁ ଆସିଛନ୍ତି 187 ପ୍ରଜାତିର 11 ଲକ୍ଷ 37 ହଜାର 759ଟି ପକ୍ଷୀ । ଦଶ ବର୍ଷ ପରେ ଚିଲିକାରେ ଏକ ନୂଆ ପ୍ରଜାତିର ପକ୍ଷୀ ଆସିଛି । ଯାହାର ନାମ ପଲାଜ ଫିସ ଇଗଲ । ନଳବଣରେ ସର୍ବାଧିକ 3 ଲକ୍ଷ 47 ହଜାର 280 ପକ୍ଷୀ ଦେଖିବାକୁ ମିଳିଛି । ନର୍ଦନ ପିଙ୍କଟେଲ ପ୍ରଜାତିର ପକ୍ଷୀ ସର୍ବାଧିକ 2 ଲକ୍ଷ 18 ହଜାର 614 ଆସିଥିବା ବେଳେ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖାଯାଇଛି ।
ଏହା ମଧ୍ୟ ପଢନ୍ତୁ ... କେନ୍ଦୁଝରରେ ପକ୍ଷୀ ଗଣନା ଆରମ୍ଭ
ଗତ ବର୍ଷ ଚିଲିକାରେ 184 ପ୍ରଜାତିର 11 ଲକ୍ଷ 31 ହଜାର 929 ଆସିଥିବା ବେଳେ ଚଳିତ ବର୍ଷ 5 ହଜାର 830ଟି ପକ୍ଷୀ ବୃଦ୍ଧି ପାଇଛି । ଚଳିତ ବର୍ଷ 108 ପ୍ରଜାତିର 10 ଲକ୍ଷ ୯୮ ହଜାର 813 ବିଦେଶୀ ପକ୍ଷୀ ଆସିଥିବା ବେଳେ ଘରୋଇ ପକ୍ଷୀଙ୍କ ସଂଖ୍ୟା 38 ହଜାର 946ଟି 79 ପ୍ରଜାତିର ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଚିଲିକା ଡ଼ିଏଫଓ । ଗତ ଗୁରୁବାର ସକାଳ 6 ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନରେ ଶେଷ ହୋଇଥିଲା । ମୋଟ 21ଟି ଟିମ ବାଲୁଗାଁ ଟାଙ୍ଗୀ ସାତପଡ଼ା, ରମ୍ଭା, ଚିଲିକା ଓ ନୂଆପଡ଼ାରେ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ । ମୋଟ 118 ଜଣ କର୍ମଚାରୀ ପକ୍ଷୀ ଗଣନା କରିଥିଲେ ।
ଗଣନା ଟିମରେ ପକ୍ଷୀ ବିଶାରଦ, ବିଭିନ୍ନ ସଙ୍ଗଠନକୁ ସାମିଲ କରାଯାଇଥିଲା । ବାଇନାକୁଲର ସାହାଯ୍ୟରେ ପକ୍ଷୀ ଗଣନା କରାଯାଇଥିଲା । ବନ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ନର୍ଦନପିଣ୍ଟେଲ, ସୋଭଲର, ବ୍ଲାକ ହେଡ ଆଇବିସ ପ୍ରଜାତିର ପକ୍ଷୀ କୃଷ୍ଣପ୍ରସାଦ ଅଞ୍ଚଳରେ ଅଧିକ ଦେଖିବାକୁ ମିଳିଥିଲା । ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ବିହିତ ପଦକ୍ଷେପ ନିଆଯାଇଛି । ଶିକାରୀମାନଙ୍କ ଠାରୁ ସେମାନଙ୍କୁ କିଭଳି ସୁରକ୍ଷା ରକ୍ଷା କରାଯାଇପାରିବ ସେନେଇ ବନ ବିଭାଗ ସଜାଗ ରହିଛି । ଲାଇନ ଟ୍ରାଞ୍ଜାକ୍ଟ ପଦ୍ଧତିରେ ଜିପିଏସ ମାଧ୍ୟମରେ କେଉଁ କେଉଁ ଅଞ୍ଚଳ ଅତିକ୍ରମ କରାଯାଉଛି, ତାହାର ରେକର୍ଡ ରଖାଯାଇଛି ।
ଇଟିଭି ଭାରତ, ପୁରୀ