ପୁରୀ: କୋଭିଡର ଦ୍ବିତୀୟ ଲହର ସାରା ଭାରତକୁ ସ୍ତବ୍ଧ କରିଦେଇଛି। କେଉଁଠି ମେଡ଼ିକାଲରେ ବେଡ଼ ନାହିଁ ତ କେଉଁଠି ଅକ୍ସିଜେନ । ଆଉ କେଉଁଠି କୋଭିଡ଼ ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ନାହିଁ। ଦିଲ୍ଲୀ, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ମାତ୍ର 5 ରୁ 10 କିଲୋମିଟର ଯିବା ପାଇଁ ଘରୋଇ ଆମ୍ବୁଲାନ୍ସ ରୋଗୀ ସମ୍ପର୍କୀୟଙ୍କ ଠାରୁ 15 ରୁ 20 ହଜାର ଟଙ୍କା ନେଉଛନ୍ତି। କୋଭିଡରେ ସାରା ଦେଶବାସୀ ଅସ୍ତବ୍ୟସ୍ତ ହୋଇ ପଡି ଥିବା ବେଳେ କିଛି ଆସାଧୁ ବ୍ୟକ୍ତି ଏହି ସମୟରେ ରୋଗୀଙ୍କୁ ଶୋଷଣ କରୁଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କୋଭିଡର ତୃତୀୟ ଲହର ନେଇ ଚେତାବନୀ ଦେଇ ସାରିଛନ୍ତି। ଏଣୁ ବେଳ ବେଳ ଥାଉ ପୁରୀ ଜିଲ୍ଲା ପ୍ରଶାସନ କୋଭିଡ ସମୟରେ ରୋଗୀଙ୍କ ସେଵା ପାଇଁ ଘରୋଇ ଆମ୍ବୁଲାନ୍ସ ଗୁଡିକୁ ନିଜ ଅଧିନ ଆଣି ଏକ ନିର୍ଦ୍ଦିଷ୍ଟ ରେଟ ଫିକ୍ସ କରିଛି । ଏହାସହ ଏହାର ପରିଚଳନାର ଆବଶ୍ୟକ ଥିବା ପୁରୀ ସହରର ବୁଦ୍ଧିଜୀବୀ ଓ ସମାଜସେବୀ କହିଛନ୍ତି। ଏବେଠୁ ଘରୋଇ ଆମ୍ବୁଲାନ୍ସ ଗୁଡିକୁ ପ୍ରଶାସନ ନିଜ କବଜାକୁ ନ ଆଣିଲେ ଦିଲ୍ଲୀ ଭଳି ପରିସ୍ଥିତି ପୁରୀ ହେବାର ସମ୍ଭାବନା ଥିବା ବେଳେ ଗରିବ ରୋଗୀ ଶୋଷଣର ଶିକାର ହେବାର ଆଶଙ୍କା ରହିଛି ।
କୋଭିଡ ସମୟରେ ଘରୋଇ ଆମ୍ବୁଲାନ୍ସକୁ ନିୟନ୍ତ୍ରଣ ଉପରେ ମତ ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଜିଲ୍ଲାପାଳ କହିଛନ୍ତି ଏବେ ଆମ୍ବୁଲାନ୍ସକୁ ନେଇ କୌଣସି ସମସ୍ୟା ନାହିଁ। ପୁରୀ ସହର କୋଭିଡ ରୋଗୀଙ୍କୁ ନେବା ଆଣିବା ପାଇଁ 12 ଟି ଆମ୍ବୁଲାନ୍ସ ଥିବା ବେଳେ ପ୍ରତି ବ୍ଳକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ 2 ଟି ଲେଖାଏଁ ଆମ୍ବୁଲାନ୍ସ ଦିଆଯାଇଛି। କେତେକ ଘରୋଇ ଗାଡ଼ିକୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରାଯାଉଛି। ସେହିପରି ପୁରୀରେ ଗୋଟିଏ କୋଭିଡ ହସ୍ପିଟାଲ ଥିବା ବେଳେ ସମ ହସ୍ପିଟାଲ ସହିତ ପିପିପି ମୋଡ଼ରେ ଆଉ ଏକ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି।
ସେହିପରି ପୁରୀ ଜିଲ୍ଲାରେ ମୋଟ 11 ଟି ବ୍ଲକରେ କୋଭିଡ କେୟାର ହୋମ ଖୋଲା ଯାଇଥିବା ବେଳେ ପ୍ରତ୍ୟେକ ସ୍ଥାନରେ ଅକ୍ସିଜେନ ସହିତ 20 ରୁ 30 ଟି ଲେଖାଏଁ ବେଡ଼ ରହିଛି। ଜିଲ୍ଲାରେ 1 ହଜାର ବେଡ଼୍ ପ୍ରସ୍ତୁତ ଥିବା ବେଳେ 50 ପ୍ରତିଶତ ଖାଲି ରହିଛି। ତେବେ କୋଭିଡ ପରିସ୍ଥିତିକୁ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ ସଜାଗ ଥିବା ବେଳେ ଲୋକେ କୋଭିଡ ନିୟମ ଅନୁପାଳନ କଲେ ହିଁ ଆମେ କୋଭିଡ ଯୁଦ୍ଧରେ ଜିତି ପାରିବା ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। କୋଭିଡ ତୃତୀୟ ଲହର କୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇ ସାରିଥିବା ବେଳେ ଆମ୍ବୁଲାନ୍ସ ସଂକଟକୁ ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ସଚେତନ ରହିବା ଉଚିତ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ