ପୁରୀ: ବିଶ୍ବ ଐତିହ୍ୟ ସହର ଭାବେ ପୁରୀ ସହରକୁ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କର ବଡ ଘୋଷଣା । ଏଠାରେ ଥିବା ବିଭିନ୍ନ ମଠର ବିକାଶ ପାଇଁ ସୋମବାର ରାଜ୍ୟ ସରକାର ଘୋଷଣା କରିଛନ୍ତି 100 କୋଟି ଟଙ୍କାର ପ୍ୟାକେଜ । ଅବଢା ଯୋଜନାରେ ମଠର ବିକାଶ ପାଇଁ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରିବେ। ଏହାଦ୍ବାରା ପୁରୀ ମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠର ବିକାଶ କରାଯିବ ।
ପ୍ରକାଶ ଯେ ପୂର୍ବରୁ ପୁରୀ ସହରକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର 500 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏଥିରେ ଭିତ୍ତିଭୂମିଠାରୁ ଆରମ୍ଭ କରି ସହରର ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ କରାଯିବାର ଯୋଜନା ରହିଛି ।

ଏଥିସହ ଏହି ଯୋଜନାରେ ମାଳତିପାଟପୁରଠାରୁ ଜଗନ୍ନାଥବଲ୍ଲଭ ମଠକୁ ସଂଯୋଗ କରିବା ପାଇଁ ରାଜ୍ୟର ପ୍ରଥମ ଟ୍ରମ୍ପେଟ ସେତୁ ନିର୍ମାଣ କରାଯିବାର ଯୋଜନା ମଧ୍ୟ ରହିଛି । ଯେଉଁଥିପାଇଁ ରାଜ୍ୟ ସରକାର ସୋମବାର ଅଧିକ 100 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ