ପୁରୀ:ଶ୍ରୀମନ୍ଦିର ପ୍ରଶାସନର ନୂଆ ୟୁନିଫର୍ମ ପଲିସିକୁ ଭୂ-ସମ୍ପତ୍ତି ସୁରକ୍ଷା ପରିଷଦର ତୀବ୍ର ବିରୋଧ । ଏହି ଆଇନ ବିରୋଧୀ ନିର୍ଦ୍ଦେଶନାମାର ପ୍ରତିବାଦ କରିବାକୁ ପୁରୀବାସୀଙ୍କୁ ଆହ୍ବାନ ଦେଇଛି ସଙ୍ଗଠନ । ଏପରିକି ଏହି ପଲିସିରେ ବିଚଳିତ ନହୋଇ ଜମି ରେଜିଷ୍ଟ୍ରି ନ କରିବା ପାଇଁ ମଧ୍ୟ ପୁରୀବାସୀଙ୍କୁ ସୂଚାଇ ଦେଇଛି ପରିଷଦ ।
ପୁରୀ ପ୍ରଶାସନର ଏହି ନିର୍ଦ୍ଦେଶନାମା ପୁରୀବାସୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛି । ବର୍ଷ ବର୍ଷ ଧରି ଭିଟାମାଟିରେ ରହୁଥିବା ଲୋକଙ୍କ ଠାରୁ 3 ଗୁଣା ଅର୍ଥ ଦାବି କରି ନୋଟିସ ଦିଆଯାଇଛି। ପୂର୍ବରୁ ପ୍ରଜସ୍ବତ ଅଧିକାର ବଳରେ ସ୍ଥାୟୀ ରୟତ ଭାବେ ବସବାସ କରୁଥିବା ମନ୍ଦିର ପରିଚାଳନା କମିଟି, ଲ୍ୟାଣ୍ଡ କମିଟି ଜମି ରେଜିଷ୍ଟ୍ରି ପାଇଁ ନୋଟିସ ଦେଇ ଚାପ ସୃଷ୍ଟି କରୁଥିବାବେଳେ ଭୂ-ସମ୍ପତ୍ତି ସୁରକ୍ଷା ପରିଷଦ ପୁରୀ ଏହାକୁ ତୀବ୍ର ନିନ୍ଦା କରିଛି । ତୁରନ୍ତ ଏଭଳି ନିଷ୍ପତ୍ତିରୁ ଶ୍ରୀମନ୍ଦିର ପ୍ରଶାସନ ନ ଓହରିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ ପୁରୀ ସହର ଓ ସଦର ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ଜମିରେ ବର୍ଷ ବର୍ଷ ଧରି ଘର ବାଡ଼ି କରି ରହିଆସିଛନ୍ତି ଲୋକେ। ପୂର୍ବରୁ ଏହି ଜମି ଗୁଡିକ ବିଭିନ୍ନ ମଠ ଅଧୀନରେ ଥିବାବେଳେ ମଠରୁ ଏହି ଜମି କିଣି ଲୋକେ ଘର କରିଥିଲେ। ତେବେ ଶ୍ରୀମନ୍ଦିର ପ୍ରଶାସନ ନୂଆ ନିୟମ ସରକାରଙ୍କ ପକ୍ଷରୁ କରାଯାଇ ଜମି ଦଖଲ କରୁଥିବା ବ୍ୟକ୍ତିଙ୍କ ବହୁ ମୂଲ୍ୟ ଦାବି କରି ନୋଟିସ ଦେଇଛି। ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ