ପୁରୀ: ଜିଲ୍ଲା ଡାକ୍ତରଖାନା ଛକଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସମ୍ପର୍କିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ତେବେ ବଳଗଣ୍ତି ଓ କୁମ୍ଭାରପଡା ଅଞ୍ଚଳ ନିମନ୍ତେ ପୂର୍ବାହ୍ନରେ କୁମ୍ଭାରପଡା ପୁରୁଣା ଜେଲ ରୋଡସ୍ଥିତ ଜାଇଗଡ କ୍ଲବ ଏବଂ ଅପରାହ୍ନରେ ଅଠରନଳା ଓ ଜିତକର ମୁଦୁଲି ପାଟଣା ଅଞ୍ଚଳ ନିମନ୍ତେ ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା।
ଏହି ପ୍ରକଳ୍ପ ନିମନ୍ତେ ପୁରୀ ତହସିଲ ଅନ୍ତର୍ଗତ ତିନୋଟି ପଞ୍ଚାୟତର ୧୧ଟି ଗ୍ରାମରୁ ୬.୪୭୬୫ ଏକର ଜମି ଅଧିଗ୍ରହଣ କରାଯିବ। ସେଥିମଧ୍ୟରେ ୧.୧୦୯ ଏକର ସରକାରୀ ଜମି ଓ ୬୨୮ଟି ପରିବାରର ୫.୩୬୭୫ ଏକର ବ୍ୟକ୍ତିଗତ ଜମି ରହିଛି । ଏଥିମଧ୍ୟରୁ କୁମ୍ଭାରପଡା ଗ୍ରାମରୁ ସର୍ବାଧିକ ୦.୯୪୧୫ ଏକର ଥିବାବେଳେ ସିରେଇକଣାପାଟଣା ଗ୍ରାମର ସର୍ବନିମ୍ନ ୦.୩୧୮ ଏକର ଜମି ରହିଛି । ଏହି ପ୍ରକଳ୍ପଟି ଅବଢା ଯୋଜନାର ଅନ୍ତର୍ଭୁକ୍ତ ଓ ଉକ୍ତ ରାସ୍ତାଟି ରଥଯାତ୍ରା, ବଡଦିନ ଛୁଟି, କାର୍ତ୍ତିକ ମାସ ଭଳି ପର୍ବପର୍ବାଣି ସମୟରେ ସର୍ବାଧିକ ବ୍ୟବହାର ହୋଇଥାଏ । ତେବେ ସେହି ଦିନମାନଙ୍କରେ ଯାନବାହାନ ଗହଳିକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବାକୁ ୨୦୧୭-୧୮ ମସିହାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଗତକାଲି(ମଙ୍ଗଳବାର) ଭୁବନେଶ୍ବର ସ୍ଥିତ ଜୟଦେବ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଆଣ୍ତ ରିସର୍ଚ ପକ୍ଷରୁ ଉକ୍ତ ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ କରାଯାଇଥିଲା । ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ବତାରଣ ସାହୁ, ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ ସନ୍ତୋଷ ଶତପଥୀ, ତହସିଲଦାର ରବିନ୍ଦ୍ର ପ୍ରଧାନ, ଜାଇଗଡ ଯାଗା ସଭାପତି ହରିହର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ