ପୁରୀ: ପିପିଲି ଉପନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ଆସନ୍ତା ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ ହେବ । ଏଥିପାଇଁ ସବୁ ଦଳ ପ୍ରସ୍ତୁତି କରୁଛନ୍ତି । ବିଜେପି ମଧ୍ୟ ମୈଦାନରେ ଅଛି । କିନ୍ତୁ ଏହାରି ଭିତରେ ଏମିତି କିଛି ଘଟଣା ଘଟିଛି, ଯାହାକି ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ଯଦିଓ ଏହା ପିପିଲି ନିର୍ବାଚନ ମଣ୍ଡଳି ସହିତ କୌଣସି ସମ୍ପର୍କ ନାହିଁ ତଥାପି ଗୋଟିଏ କଥା ସ୍ପଷ୍ଟ ଯେ, ଜିଲ୍ଲା ବିଜେପିରେ ସବୁକିଛି ଠିକ ଚାଲୁନାହିଁ ।
ନେତା-ନେତାଙ୍କ ମଧ୍ୟରେ ଚାଲିଛି ମାରପିଟ୍ । ମାମଲା ଏବେ ଥାନାରେ ପହଞ୍ଚିଲାଣି । ସତ୍ୟବାଦୀରେ ଗତ ଶନିବାର ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଗଡିଶାଗଦା ଥାନାରେ ଏତଲା ମଧ୍ୟ ହୋଇଛି । ଏତଲାରେ ସତ୍ୟବାଦୀରୁ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓମ ପ୍ରକାଶ ମିଶ୍ରଙ୍କ ନାମ ରହିଛି ।
ସୂଚନା ଅନୁସାରେ, ରାଜ୍ୟ ବିଜେପିର ବରିଷ୍ଠ ନେତା ସୁରଥ ବିଶ୍ବାଳଙ୍କ ମା’ଙ୍କର ୪ ଦିନ ତଳେ ଦେହାନ୍ତ ହୋଇଥିଲା । ସମବେଦନା ଜଣାଇବା ପାଇଁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ରାଜ୍ୟ ବିଜେପିର କିଛି ବରିଷ୍ଠ ନେତା ସୁରଥଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେଠାରେ ବିବାଦ ସୃଷ୍ଟି ହୋଇଥଲା। ଏତଲାକାରୀ ଜିଷ୍ଣୁଜୟ ମତ୍ତଗଜସିଂଙ୍କ ଅନୁସାରେ, ଓମ ପ୍ରକାଶଙ୍କ ସହିତ ଆସିଥିବା କିଛିବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ମଜଗଜସିଂଙ୍କ ମୁଣ୍ଡ ଓ ନାକରେ ଗଭୀର ଆଘାତ ଲାଗିଛି ।ଅଭିଯୋଗ ଅନୁସାରେ ଆକ୍ରମଣରେ ୩୦ରୁ ଅଧିକ ବ୍ୟକ୍ତି ସାମିଲ ଥିଲେ । ଆକ୍ରମଣ ସମୟରେ ଓମ ପ୍ରକାଶ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଅଭିଯୋଗ କରିଛନ୍ତି ।
ଆକ୍ରମଣକାରୀ ତାଙ୍କ ତଣ୍ଟିଚିପି ତଳେ ପକାଇ ଦେବା ସହିତ ତାଙ୍କଠାରୁ ୨୭ଶହ ଟଙ୍କା ଛଡାଇ ନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଗୋଷ୍ଠୀ ସହିତ ଓମ ପ୍ରକାଶଙ୍କ ରାଜନୈତିକ ମତ ପାର୍ଥକ୍ୟ ଥିବା କୁହାଯାଉଛି । ତେବେ ଆଗକୁ ପିପିଲି ଉପନିର୍ବାଚନ ଥିବାବେଳେ ବିଜେପି ଗୋଷ୍ଠି କନ୍ଦଳ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ