ପୁରୀ: ଗୋଟିଏ କି ଦୁଇପ୍ରକାର ନୁହେଁ ଭଳିକି ଭଳି ୮୫୧ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତାମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୮୫୧ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମାତା ମଠରେ ଦିନ ତମାମ ଲାଗିଥିଲା ଗହଳି ।
ଦୀର୍ଘବର୍ଷ ଧରି ମାତାମଠରେ ମାର୍ଗଶୀର ଶୁକ୍ଳ ଦ୍ବାଦଶୀକୁ ବ୍ୟଞ୍ଜନ ଦ୍ବାଦଶୀ ଭାବେ ପାଳନ କରାଯାଇ ଆସୁଛି । ଦ୍ବାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ବାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି । ବିଶେଷ କରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ବାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରାଯାଇଥାଏ । ଦ୍ବାପର ଯୁଗରେ ମା' ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ପରମ୍ପରାକୁ ବୈଷ୍ଣବ ଗୌଡ଼ୀୟମାନେ ବଞ୍ଚାଇ ରଖିଛନ୍ତି ।
ଏହା ବି ପଢନ୍ତୁ- ବ୍ୟଞ୍ଜନ ଦ୍ଵାଦଶୀ: ସିଦ୍ଧ ଜଗନ୍ନାଥଙ୍କଠାରେ ଲାଗି ହେଲା ୧୦୨ ପ୍ରକାର ବ୍ୟଞ୍ଜନ
ଏହି ପର୍ବର ଯଥେଷ୍ଟ ପୂର୍ବରୁ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆରମ୍ଭ ହୁଏ ପ୍ରକ୍ରିୟା । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କୁ ସ୍ମରଣ କରି ବହୁ ଶ୍ରମ କରି ବହୁବିଧି ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରୀକୃଷ୍ଣଙ୍କ ଉଦ୍ଧେଶ୍ୟରେ ସମର୍ପଣ କରିଥାନ୍ତି । ଏହାପରେ ସ୍ବତନ୍ତ୍ର ପତ୍ରରେ ସମ୍ମିଳିତ ଭାବେ ସମସ୍ତେ ପ୍ରସାଦ ସେବନ କରିଥାନ୍ତି । ଚଳିତ ବର୍ଷ ପ୍ରସ୍ତୁତ ୮୫୧ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଥିଲା ବିଭିନ୍ନ ପ୍ରକାରର ସାଧା ଅନ୍ନ, ମିଠା କାନିକା, ଖେଚେଡ଼ି , ଘିଅଅନ୍ନ , ଖିରି, ତରକାରି, ଚଟଣି, ଭଜା, ଖଟା, ମିଠା ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନ ।
ଏହା ବି ପଢନ୍ତୁ- ବ୍ୟଞ୍ଜନ ଦ୍ବାଦଶୀ: ରାଧାକୃଷ୍ଣଙ୍କ ନିକଟରେ ଲାଗି ହେଲା ୮୨୧ ପ୍ରକାର ବ୍ୟଞ୍ଜନ
ଗତକାଲି(ଶନିବାର) ସକାଳୁ ପରିବା ସବୁ ଅମୁଣିଆ ହେବା ପରେ ଆରମ୍ଭ ହୋଇଥିଲା ବ୍ୟଞ୍ଜନ ପ୍ରସ୍ତୁତି । ଉଭୟ ମହିଳା ଓ ପୁରୁଷ ଭକ୍ତମାନେ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ଲାଗିଥିଲେ । ରୋଷେଇ ପାଇଁ ବ୍ୟବହୃତ ହୋଇଥିଲା ୨୦ଟି ଚୁଲି । ଅନେକ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଓ ମଠ ମହନ୍ତ, ସଦସ୍ୟଙ୍କ ଉଦ୍ୟମ ଯୋଗୁଁ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ମଠ ମହନ୍ତ ଓ ଭକ୍ତ । ପ୍ରତି ବର୍ଷ ପ୍ରାୟ ଶତାଧିକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ୮୫୧ ପ୍ରକାର ରେକର୍ଡ଼ ସଂଖ୍ୟକ ବ୍ୟଞ୍ଜନ ମାତାମଠରେ ପ୍ରସ୍ତୁତ ହୋଇଛି ।
ଇଟିଭି ଭାରତ, ପୁରୀ