ପୁରୀ: ଉଦ୍ଧାର ହେଲେ ଦୁଇ ନିଖୋଜ ଛାତ୍ର । କୋଣାର୍କରେ ଥିବା ଏସିଏସଟି ହାଇସ୍କୁଲରୁ 2ଜଣ ଛାତ୍ର ନିଖୋଜ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଶୁକ୍ରବାର 2ଛାତ୍ରଙ୍କୁ କୋଣାର୍କ ପୋଲିସ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ କୋଣାର୍କରେ ଥିବା ଏସିଏସଟି ହାଇସ୍କୁଲ ପରିସରରୁ ଜଣେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ର ନିଖୋଜ ଥିବା ସ୍କୁଲ କର୍ତ୍ତୃପକ୍ଷ କୋଣାର୍କ ଥାନାରେ ଏତଲା ଦେଇଥିଲେ । ଏହାପରେ ଛାତ୍ରଙ୍କ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିବା ସହ ସ୍କୁଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଏହାକୁ ନେଇ କିଛି ସମୟ ସ୍କୁଲ ପରିସରରେ ଉତେଜନା ସୃଷ୍ଟି ହୋଇଥିଲା । ଖବର ପାଇ କୋଣାର୍କ ପୋଲିସ ସ୍କୁଲରେ ପହଞ୍ଚି ଛାତ୍ରଙ୍କ ପରିବାରବର୍ଗଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏହାପରେ ପୋଲିସ ଅଭିଯୋଗ ଆଧାରରେ ବହୁ ଖୋଜାଖୋଜି କରି 2 ଜଣ ନିଖୋଜ ଛାତ୍ରଙ୍କୁ ନିମାପଡା ନିକଟରୁ ଉଦ୍ଧାର କରିଥିଲେ ।
ଏପଟେ ଦୁଇ ଛାତ୍ର ଉଦ୍ଧାର ଖବର ପାଇ ପରିବାରବର୍ଗଙ୍କ ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଶ୍ବସ୍ତି ମିଳିଛି । ତେବେ 2 ଜଣ ଛାତ୍ର ସ୍କୁଲରୁ ସକାଳୁ ନୟାଗଡ଼ ଯାଇଥିବା ପୋଲିସ ଜାଣିବାକୁ ପାଇଛନ୍ତି । ତେବେ ଦୁଇ ଛାତ୍ର କାହା ପାଖକୁ ଏବଂ କଣ ପାଇଁ ନୟାଗଡ ଯାଇଥିଲେ ସେନେଇ ପୋଲିସ ତଦନ୍ତ କରୁଥିବା ବେଳେ ଆଗାମୀ ଦିନରେ ଏଭଳି ଭୁଲ ଓ ଅବହେଳା ଯେପରି ନହୁଏ ସେନେଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ