ନୂଆପଡା: ସମୁଦ୍ର ପତନଠାରୁ ସାଢେ ୩ ହଜାର ବର୍ଗଫୁଟ ଉଚ୍ଚ ପର୍ବତ ମାଳାରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟ। ଏହାର ପଶ୍ଚିମ ଦିଗରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜଲମଡେଇ ଗାଁ । ଏହି ଗ୍ରାମ ତଟ ଦେଇ ବହିଯାଇଛି ହଲଦୀପାଣି ନଦୀ । ନଦୀର ରହିଛି ଅନେକ ସ୍ବତନ୍ତ୍ରତା। ଖରା ଦିନରେ ମଧ୍ୟ ଏହି ନଦୀରେ ପାଣି ସୁଖିନଥାଏ । ସବୁଠାରୁ ବଡ କଥା ହେଉଛି ଏହି ନଦୀରେ ମହିଳା ମାନେ ହଳଦୀ ଲଗାଇ ଗାଧୋଇବା ମନା । ଅଥିସହ ହଳଦୀ ଲାଗିଥିବା କପଡା, ଅଇଁଠା ବାସନ ମଧ୍ୟ ଧୋଇବା ମନା । ଏପରିକି ହଳଦୀପାଣିରେ କେହି ଶୁଦ୍ଧି ହୋଇପାରିବେନି । ଏହି ସବୁ ନିୟମକୁ ଯେକେହି ବ୍ୟତିକ୍ରମ କରେ ତେବେ ନଦୀ ଦେବତା କୁମ୍ଭୀର ରୂପରେ ଆବିର୍ଭାବ ହୋଇ ଆକ୍ରମଣ କରିଥାନ୍ତି । ଏହାସହିତ ଜଲମଡେଇ ଗାଁଲୋକେ ରୋଗ ବ୍ୟାଧିରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ଏହାକୁ ନେଇ ଗ୍ରାମବାସୀ କହିଛନ୍ତି, "ବିବାହ ଭଳି ଉତ୍ସବରେ ମହିଳାମାନେ ହଳଦୀ ଲଗାଇ ପାରିବେ । ଗାଁରେ ଅନ୍ୟ ସ୍ଥାନରେ ବି ହଳଦୀ ଲଗାଇ ମୁହଁ ଧୋଇ ପାରିବେ କିନ୍ତୁ ହଳଦୀ ଲଗାଇ ଆସି ଏହି ନଦୀରେ ଗାଧୋଇ ପାରିବେ ନାହିଁ । ତାହା ହେଲେ କୁମ୍ଭୀର ଆକ୍ରମଣ କରିବ କିମ୍ବା ଗାଁରେ ରୋଗବ୍ୟାଧି ବ୍ୟାପିବ । ପୂର୍ବରୁ ପୁରୁଷରୁ ଏହି ରହି ଆସିଛି । "
ଏହା ମଧ୍ୟ ପଢନ୍ତୁ-ଆଧୁନିକତାର ଭିତରେ ଆଜିବି ଜଳୁଛି 'ଚକମକି', ପରମ୍ପରା ବଜାୟ ରଖିଛନ୍ତି ଜୁଆଙ୍ଗ ସମ୍ପ୍ରଦାୟ
ଜଲମଡେଇ ଗାଁରେ ଆଦିମ ଜନଜାତି ଚକୋଟିଆ, ଭୁଞ୍ଜିଆ, ପହରିଆ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ସମ୍ପୂର୍ଣ୍ଣ ମାଓ ପ୍ରବଣ ଅଞ୍ଚଳ ହୋଇଥିବା କାରଣରୁ ପ୍ରଶାସନ ଆଢୁଆଳରେ ରହିଛି ଏହି ଗ୍ରାମ । ଗାଁକୁ ଗମନାଗମନ ପାଇଁ ପକ୍କା ରାସ୍ତା ଖଣ୍ଡେ ନାହିଁ । ବିଜୁଳି ପିଇବା ପାଣି ଶିକ୍ଷା ଆଦି ବିଭିନ୍ନ ସମସ୍ୟା ଲାଗିରହିଛି । ମୌଳୁସ ସୁବିଧାରୁ ବଞ୍ଚିତ ଗାଁ ଲୋକେ । ଗାଁରେ ବାସ କରୁଥିବା ଆଦିମ ଜନଜାତି ଶ୍ରେଣୀର ଲୋକମାନେ ଜଙ୍ଗଲର ଫଳ କନ୍ଦମୂଳ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି ।
ଏହା ମଧ୍ୟ ପଢନ୍ତୁ-ଚିନ୍ତାରେ ନଇକୂଳିଆ: କୂଳ ଲଙ୍ଘୁଛି ହାତୀ ନଦୀ, ବନ୍ୟାଞ୍ଚଳ ଭିତରେ ଆଶ୍ରୟସ୍ଥଳୀ
ଗାଁଲୋକଙ୍କୁ ପ୍ରତିଟି ମୁହୂର୍ତ୍ତରେ ବନ୍ୟଜନ୍ତୁର ସାମ୍ନା କରି ବଞ୍ଚିବାକୁ ପଡ଼ିଥାଏ । ଅତୀତରେ ଏହିଗାଁର ଜଣେ ବୁଦ୍ଧା ମହିଳାଙ୍କୁ ଘରୁ ବାଘ ଝାମ୍ପି ମାରିଖାଇଥିବା ନଜିର ରହିଛି । ଏଠାରେ ଗାଁର ମହିଳା ମାନେ ଇଷ୍ଟ ଦେବୀ ସୁନା ଦେଇଙ୍କୁ ସମ୍ମାନ ଜଣାଇ ପାଦରେ ଚପଲ ଓ ବ୍ଲାଉଜ୍ ବ୍ୟବହାର କରନ୍ତି ନାହିଁ । ଏମାନେ ବହୁ ସରଳ ବିଶ୍ୱାସୀ ହୋଇଥିବା ବେଳେ, ସହରୀ ଲୋକଙ୍କୁ ଦେଖିଲେ ଲୁଚନ୍ତି । ଗାଁର ଗର୍ବ ଓ ଗୌରବ ହଳଦୀପାଣି ନଦୀ । ହଳଦୀପାଣି ନଦୀ କୁନେଇ ଜଲମଡେଇ ଗାଁ ଜିଲ୍ଲା ତଥା ଜିଲ୍ଲା ବାହାରେ ପରିଚିତ ।
ଇଟିଭି ଭାରତ, ନୂଆପଡା