ନୂଆପଡା: ପୁଣି ଯୌତୁକ ଜୁଇରେ ଜଳିଲା ବଧୂ । ଯୌତୁକ ଦାବିରେ ବଧୂ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ସରଧାପୁର ଗାଁରେ । ସିନାପାଲି ଥାନାରେ ଅଭିଯୋଗ ପରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଗତ 2022 ମସିହା ଫେବୃଆରୀ 11ରେ ଶରଧାପୁର ଗାଁର ଲିଙ୍ଗରାଜ କଟାଙ୍କ ସହିତ କେନ୍ଦୁମୁଣ୍ଡା ଗ୍ରାମପଞ୍ଚାୟତ ସ୍ଥିତ ଡ଼ଙ୍ଗରିଗୁଡା ଗାଁର ସାବିତ୍ରୀ ହଂସଙ୍କ ସହିତ ବିବାହ ହୋଇଥିଲା । କନ୍ୟା ପିତା ମାତା ସାମର୍ଥ ଅନୁସାରେ ଘରକରଣା ସାମଗ୍ରୀ ସହ ଯୌତୁକ ପ୍ରଦାନ କରିଥିଲେ । ବିବାହର ଏକ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ବୈବାହିକ ଜୀବନ ବେଶ ଭଲରେ ଚାଲିଥିଲା । ପରେ ଅଧିକ ଯୌତୁକ ଆଶାରେ ସ୍ୱାମୀ ଲିଙ୍ଗରାଜ ସ୍ତ୍ରୀ ସାବିତ୍ରୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରୁଥିଲେ ।
ଏକଥା ମହିଳା ପରିବାର ଲୋକେ ଜାଣିବା ପରେ ଉଭୟ ଝିଅ ଜ୍ବାଇଁଙ୍କୁ ବୁଝାସୁଝା ମଧ୍ୟ କରିଥିଲେ । ଏହା ପରେ ମଧ୍ୟ ସ୍ବାମୀର ଯୌତୁକ ନିଶା ଛାଡିନଥିଲା । ଶେଷରେ ଶୁକ୍ରବାର ସଂଧ୍ୟାରେ ସ୍ତ୍ରୀ ସାବିତ୍ରୀଙ୍କୁ ନିସ୍ତୁକ ମାଡ଼ ମାରି ନିକଟସ୍ଥ ଗାଁକୁ ଯାତ୍ରା ଦେଖିବା ପାଇଁ ଚାଲିଯାଇଥିଲା ସ୍ୱାମୀ ଲିଙ୍ଗରାଜ । ପରେ ମଧ୍ୟ ରାତ୍ରିରେ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ମହିଳାଙ୍କ ବାପା ସିନାପାଲି ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଅପରପକ୍ଷେ ମହିଳାଙ୍କ ସ୍ୱାମୀ ଲିଙ୍ଗରାଜ କଟାକୁ ସିନାପାଲି ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଯୌତୁକ ବାବଦକୁ କୁଲର, ପଙ୍ଖା, ମୋଟର ସାଇକଲ, ସୁନା ଗହଣା ଦାବି ହୋଇଥିବା ଅଭିଯୋଗ ହୋଇଛି ।
ଗତ ଏପ୍ରିଲ ମାସରେ ବଲାଙ୍ଗୀରରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ମୃତକ ମହିଳା ଜଣକ ୨୫ ବର୍ଷିୟା କଳ୍ପନାମୟୀ ଷଡ଼ଙ୍ଗୀ । ସେ ଗତ ୨୦୧୮ ଏପ୍ରିଲରେ ସଇଁନ୍ତଳା ଥାନା କୁଆର ଗାଁର ଶୁଭ୍ରାଂଶୁ ତ୍ରିପାଠୀକୁ ବିବାହ କରିଥିଲେ । ବିବାହ ପର ଠାରୁ କଳ୍ପନାମୟୀଙ୍କୁ ତାଙ୍କ ସ୍ବାମୀ ଓ ପରିବାର ସଦସ୍ୟ ନିର୍ଯାତନା ଦେଇ ଆସୁଥିଲେ । ପୂର୍ବରୁ ମଧ୍ୟ ଯୌତୁକ ନିର୍ଯାତନା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ଇଟିଭି ଭାରତ,ନୂଆପଡା