ନୂଆପଡା: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାରିଦ୍ର ସୀମା ରେଖାତଳେ ବାସ କରୁଥିବା ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେଉଥିବା ବାହାସ୍ପୋଟ ମାରୁଛନ୍ତି । ଏପରିକି ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେଉଥିବା ବିଜ୍ଞାପନ ବିଭିନ୍ନ କାନ୍ଥ ବାଡରେ ଶୋଭା ପାଉଛି, ହେଲେ ବାସ୍ତବରେ କାର୍ଯ୍ୟ ଶୂନ । ଏକଥା ଆମେ କହୁନୁ ରୋକାଲ ଗାଁର ଆଦିବାସୀ ଯୁବକ ତ୍ରିଲୋଚନ ମାଝୀଙ୍କ ଅବସ୍ଥାକୁ ଦେଖିଲେ ସହଜେ ଅନୁମେୟ ।
ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ବୋଡେନ ବ୍ଲକ ଅନ୍ତର୍ଗତ ରୋକାଲ ଗାଁର ମାଝିପଡାରେ ବାସକରନ୍ତି ଅସହାୟ ପୀଡିତ ତ୍ରିଲୋଚନ ମାଝୀ । 2015 ମସିହାରେ ଟ୍ରାକ୍ଟର ଦୁର୍ଘଟଣାରେ ଡାହାଣ ଗୋଡରେ ଶକ୍ତ ଆଘାତ ଲାଗିଥିଲା। ସେତେବେଳେ ତ୍ରିଲୋଚନ ମାଝୀଙ୍କ ପାଖରେ ଅର୍ଥ ଅଭାବରୁ ଚେରମୂଳି ଦେଶିଆ ଚିକିତ୍ସା ଆପଣେଇ ଥିଲେ।
ଏହାସହ କିଛିଦିନ ବ୍ୟବଧାନରେ ସାମର୍ଥ୍ୟ ଅନୁସାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟ,ବୁର୍ଲା,କଟକକୁ ସ୍ଥାନାନ୍ତର ହୋଇଥିଲେ । କିଛିଦିନ ଚିକିତ୍ସା ପରେ ପୁଣି ଅର୍ଥ ଅଭାବରୁ ନିଜଗାଁ ରୋକାଲକୁ ଫେରିଆସିଥିଲେ। ପୀଡିତ ଯୁବକଙ୍କ ଚିକିତ୍ସା ବିଳମ୍ବ ହେବାରୁ ସୁସ୍ଥ ବଦଳରେ ଅଧିକ ଅସୁସ୍ଥ ହେବା ସହ ଗୋଡ ପଚି ଯାଇ ଅକାମି ହୋଇଯାଇଛି । ଏବେ ଯୁବକଙ୍କୁ ବଞ୍ଚାଇବାକୁ ହେଲେ ଗୋଡ କାଟି ଦେବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ପୀଡିତ ଯୁବକ ମଧ୍ୟ ଗୋଡ କାଟିବାକୁ ସହମତ ହୋଇଛନ୍ତି ,ହେଲେ ଅର୍ଥ ସାଜିଛି ବାଧକ।
ସରକାରଙ୍କ ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ 5 ଲକ୍ଷ ଏବଂ ମହିଳାଙ୍କ ପାଇଁ 7 ଲକ୍ଷ ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ଥିବାବେଳେ, ବିଚରା ତ୍ରିଲୋଚନ ମାଝୀଙ୍କ ପାଇଁ ଯୋଜନା ସାତ ସପନ ପାଲଟିଛି। ତ୍ରିଲୋଚନ ଏବେ ପରିବାର ସଦସ୍ୟଙ୍କ ଘୃଣ୍ୟ ଚକ୍ଷୁର ଶିକାର ହୋଇ ଘର ବାହାରେ ଶୀତକାକରରେ ପଡିରହିଛନ୍ତି । ବାପା ମାଆ ବୟସର ଅପରାହ୍ନରେ ପହଞ୍ଚି ଥିବାବେଳେ, ତ୍ରିଲୋଚନଙ୍କ ଦୁଃଖ ବୁଝିବ କିଏ ?
ତ୍ରିଲୋଚନଙ୍କ ବଡଭାଇ ବୈକୁଣ୍ଠ ମାଝୀ, ସ୍ତ୍ରୀ ନାବାଳକ ପୁଅ ଝିଅଙ୍କୁ ମିଶାଇ 8 ଜଣ କୁଲି ମଜୁରି କରି ଚଳନ୍ତି । ଦୁଃଖ ଦାରିଦ୍ରତାରେ ବୈକୁଣ୍ଠ ଚଳୁ ଥିବାବେଳେ, ପୀଡ଼ିତ ଭାଇ ଏବଂ ବୃଦ୍ଧ ପିତା ମାତାଙ୍କୁ ପ୍ରତିପୋଷଣ କରିବା ତାପାଇଁ କଷ୍ଟକର ହୋଇପଡିଛି ।
ଦାରିଦ୍ର୍ୟତାର ତାଡନାରେ ଗଣ୍ଡାଏ ପଖାଳ ଖାଇବା ଏହି ପରିବାର ପାଇଁ କଷ୍ଟସାଧ୍ୟ ହୋଇପଡିଛି । ରାଜ୍ୟସରକାର ବିଜୁସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାହାପାଇଁ ଏ ଅବସ୍ଥା ଦେଖିଲେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଅପରପକ୍ଷେ ନୂଆପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରି ତୁରନ୍ତ ଚିକିତ୍ସା ପାଇଁ ପଦକ୍ଷେପ ନେବେ ବୋଲି ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଆଶୁତୋଷ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ