ନୂଆପଡା: ନୂଆବର୍ଷରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ( Lower Indra Irrigation Project) ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ପ୍ରକଳ୍ପର ନୀଳ ଜଳରାଶି,ଆକର୍ଷଣୀୟ ପାର୍କ ପର୍ଯ୍ୟଟକଙ୍କ ମନ କିଣୁଛି । ନୂଆପଡାର ସଦର ମହୁକମାଠାରୁ ପ୍ରାୟ 70 କିଲୋମିଟର ଦୂରତାରେ ଅବସ୍ଥିତ ଏହି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଗତକାଲି(ରବିବାର) ନୂଆବର୍ଷ ଅବସରରେ ଏଠାର ପର୍ଯ୍ୟଟଙ୍କ ବହୁଳ ମାତ୍ରାରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।
ଏହି ପ୍ରକଳ୍ପକୁ 2000 ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିବା ବେଳେ, 2022 ମସିହାରେ ପ୍ରକଳ୍ପ କାମ ପୂର୍ଣାଙ୍ଗ ହୋଇ ସାରିଛି । ଜଳସେଚନ ପ୍ରକଳ୍ପକୁ 22ବର୍ଷ ପୂରଣ ହୋଇଛି । ପର୍ଯ୍ୟଟନ କ୍ଷେତ୍ରର ନୀଳ ଜଳରାଶି, ବନ ପାହାଡ଼ ପ୍ରାକୃତିକ ମନଲୋଭା ଦୃଶ୍ୟ, ଆକର୍ଷଣୀୟ ପାର୍କ ପର୍ଯ୍ୟଟକଙ୍କୁ ବେଶ ଖୁସି ଦେଉଛି । ନୂତନ ବର୍ଷ 2023କୁ ହସ ଖୁସିରେ ପାଳନ କରିବା ପାଇଁ ବର୍ଷର ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ପର୍ଯ୍ୟଟକ ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ ପହଞ୍ଚି ଏହାର ମଜା ଉଠାଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଅନୁଷ୍ଠିତ ହେଲା ଆଦିବାସୀଙ୍କ ନିଆରା ପର୍ବ ଟୋକିମରା
ନୂଆପଡା ଜିଲ୍ଲାରେ ଏକାଧିକ ପର୍ଯ୍ୟଟନ କ୍ଷେତ୍ର ଥିବାବେଳେ, ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ଅନ୍ୟତମ । କାରଣ ଏଠାରେ ପ୍ରକୃତି ରାଣୀର ଅବଦାନ ଲୋକଙ୍କୁ ଏଠାକୁ ଟାଣିଆଣେ । ଆକର୍ଷଣୀୟ ପାର୍କ, ବନପାହାଡ଼, ପ୍ରକଳ୍ପର ନୀଳ ଅକାତ ଜଳ ରାଶି ପର୍ଯ୍ୟଟକଙ୍କ ମନ କିଣୁଛି । ଏହା ବ୍ୟତୀତ ପ୍ରକଳ୍ପର ସ୍ପିଲ୍ ଓୟେ ଅଞ୍ଚଳ ବେଶ ଆକର୍ଷଣ ହୋଇଛି । ଆଗକୁ ଏଠାରେ ଡିଅର ପାର୍କ, ବିଜ୍ଞାନ ପାର୍କ, ବୋଟିଂ, ପାନ୍ଥ ନିବାସ ଭଳି ଏକାଧିକ ଯୋଜନା କରିବା ପାଇଁ ସରକାର ଯୋଜନା କରିଛନ୍ତି । ନୂଆବର୍ଷ ପାଳନ କରି ପର୍ଯ୍ୟଟକ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି ।
ଜଣେ ପର୍ଯ୍ୟଟକ କହିଛନ୍ତି, "ଏହି ଡ୍ୟାମଟି ବହୁତ ଆକର୍ଷଣୀୟ ହୋଇଛି । ଆଜି ଆମେ ଏଠାକୁ ବୁଲିବାକୁ ଆସିଥିଲୁ । ବହୁସଂଖ୍ୟକ ପର୍ଯ୍ୟଟକଙ୍କ ମଧ୍ୟ ଏଠାରେ ସମାଗମ ହୋଇଛି । ପୂର୍ବରୁ ମଧ୍ୟ ଏଠାକୁ ଆସିଥିଲି । କିନ୍ତୁ ନୂଆବର୍ଷରେ ଏଠାକୁ ଆସିବାର ମଜା ନିଆରା ।"
ଅନ୍ୟ ଜଣେ ପର୍ଯ୍ୟଟକ କହିଛନ୍ତି, "ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ରକୁ ଆଜି ଆସିଥିବାରୁ ଆମେ ବେଶ ଖୁସି । ଏଠାରେ ପାର୍କ ରହିଥିବାରୁ ଛୋଟଛୋଟ ପିଲାମାନେ ଏହାର ବେଶ ମଜା ଉଠାଉଛନ୍ତି ।"
ଇଟିଭି ଭାରତ, ନୂଆପଡା