ନୂଆପଡ଼ା: ଯୋଜନାର ନାଁ ରଖାଯାଇଛି ସର୍ବଶିକ୍ଷା ଅଭିଯାନ । ପରିକଳ୍ପନା ମୂଳରେ ଥିଲା ଶିକ୍ଷା ବ୍ୟବସ୍ଥାର ସମସ୍ତ ଅସଜଡା ସମସ୍ୟାକୁ ସମାଧାନ କରି ସଭିଁଏ ପଢନ୍ତୁ ସଭିଁଏଁ ବଢନ୍ତୁ ନାରାକୁ ବ୍ୟାପକ କରିବା । ହେଲେ ରାଜ୍ୟରେ ଏଭଳି କିଛି ବିଦ୍ୟାଳୟର ମାନଚିତ୍ର ଦେଖିଲେ ସର୍ବଶୂନ୍ୟ ଅଭିଯାନ ପରି ମନେ ହୁଏ । ନୂଆପଡା ଜିଲ୍ଲା ଘାଟମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାର୍ଥୀ ଅଛନ୍ତି ହେଲେ ଶିକ୍ଷକ ନାହାଁନ୍ତି । ଫଳରେ ନାହିଁ ନାହିଁରେ ଚାଲିଛି ପାଠପଢା । ତେବେ ଯୋଜନାର ଫାଇଲରେ ଧୂଳି ଲାଗିଛି ନା ଶିକ୍ଷା ବିଭାଗ ଚେଇଁ ଶୋଇଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି ।
2008ରେ ଏହି ବିଦ୍ୟାଳୟ ହାଇସ୍କୁଲରେ ପରିଣତ ହେବା ପରେ ପ୍ରଥମରୁ ଦଶମର ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଉଛି । ହେଲେ ସ୍କୁଲରେ ବିଜ୍ଞାନ, ଗଣିତ ଓ ଇଂରାଜୀ ଭଳି କଠିନ ପାଠ ପଢାଇବାକୁ ଶିକ୍ଷକ ନାହାଁନ୍ତି । ଆଉ ଯେତେକ ଶିକ୍ଷକ ଅଛନ୍ତି, ପ୍ରତିଦିନ ସେମାନଙ୍କ ଉପସ୍ଥାପନା ଠିକ ରହୁନାହିଁ । ଫଳରେ ବାଧ୍ୟ ହୋଇ ସ୍କୁଲ ଛାଡୁଛନ୍ତି ଛାତ୍ରଛାତ୍ରୀ । ଏପରିକି ପ୍ରତିବର୍ଷ ମାଟ୍ରିକ ରେଜଲ୍ଟ ଶୂନ ରହୁଥିବା ନଜର ରହିଛି । ତେବେ ସରକାର ଫଳ ଶୂନ ଥିବା ସ୍କୁଲଗୁଡିକୁ ବନ୍ଦ କରିବାକୁ ଯୋଜନା କରୁଥିବା ବେଳେ ଏ ଦିଗରେ କେଉଁ ପଦକ୍ଷେପ ନେବେ ।
ସେପଟେ ଏହି ସ୍କୁଲ ଉପରେ 26ଟି ଗାଁର ଭବିଷ୍ୟତ ନିର୍ଭର କରୁଥିବାବେଳେ ବିଚ୍ଛିନ୍ନାଞ୍ଚଳ ଘାଟମାଳ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁସୁଡି ପଡିଛି । କେବଳ ପ୍ରଧାନଶିକ୍ଷକଙ୍କ ବ୍ୟତୀତ ସମସ୍ତ ଶିକ୍ଷକ ପରସ୍ପର ମଧ୍ୟରେ ପାଳି କରି ବିଦ୍ୟାଳୟ ଆସିଥିବାରୁ ମଧ୍ୟ ଅଭିଭାବକ ଅଭିଯୋଗ କରିଛନ୍ତି । କିନ୍ତୁ ପିଲା ମୁତାବକ ଶିକ୍ଷକ ନିଯୁକ୍ତ କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ