ପାରାଦ୍ବୀପ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଗାଁଠୁ ସହର, ସବୁଠି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୋଇତ ବନ୍ଦାଣ ଉତ୍ସବ ପାଇଁ ଉତ୍ସାହର ମାହୋଲ । ପୁରାତନ ନୌବାଣିଜ୍ୟର କଥାକୁ ଉଜ୍ଜିବୀତ ରଖିବା ପାଇଁ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟରେ ଲୋକମାନେ ଡଙ୍ଗା ଭସାଇଥାନ୍ତି । ଏହି ଅବସରରେ ଆଜି ପାରାଦ୍ବୀପ ବନ୍ଦରରେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବା ସହ ପୂର୍ବ ଗୌରବ ଓ ଇତିହାସର ଗାଥାକୁ ମନେ ପକାଇଛନ୍ତି ।
ବୋଇତ ବନ୍ଦାଣ ଉତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ:
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ପକ୍ଷରୁ ଆଜି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ବୀର ସାଧବ ପୁଅମାନେ ସାହାସିକତାର ସହିତ ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଆଦି ଦେଶକୁ ଯାଇ ବାଣିଜ୍ୟ କରିବାରେ ବେଶ ପାରଙ୍ଗମ ଥିଲେ । ଫଳରେ କଳିଙ୍ଗ ରାଜ୍ୟ ବେଶ ସମୃଦ୍ଧ ଥିଲା । ସାଧବ ପୁଅମାନେ ବିଶାଳ ବଙ୍ଗୋପସାଗରକୁ ଅତିକ୍ରମ କରି ଯେଉଁ ଦୁଃସାହସିକ ବାଣିଜ୍ୟ କରୁଥିଲେ ତାହା ସମଗ୍ର ବିଶ୍ୱରେ ବିରଳ ଥିଲା । ଏହାର ସ୍ମୃତିରେ ପ୍ରତ୍ୟେକ ଓଡ଼ିଆ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ପରମ୍ପରାକୁ ମନେ ପକାଇଥାନ୍ତି ।
ପ୍ରଗତିର ମୁଖଶାଳା ପାରାଦୀପ ଠାରେ ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ଓଡ଼ିଶାର ପୂର୍ବନାମ କଳିଙ୍ଗ, କଳିଙ୍ଗର ନୌବାଣିଜ୍ୟ ପରମ୍ପରା ପାଖାପାଖି ଅଢେଇ ହଜାର ବର୍ଷ ପୁରୁଣା।
— Mohan Charan Majhi (@MohanMOdisha) November 15, 2024
ଓଡ଼ିଶାର ସମସ୍ତ ପର୍ବ ଧାର୍ମିକ ଭାବନା ସହ ଜଡ଼ିତ ଥିବା ବେଳେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ… pic.twitter.com/yTHVkx9ktG
ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା , ପାରାଦ୍ୱୀପ ବିଜୁ ମଇଦାନରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପଢ଼ନ୍ତୁ...ଆନନ୍ଦ ଉଲ୍ଲାସରେ 'ବୋଇତ ବନ୍ଦାଣ' କଲେ ବୌଦ୍ଧବାସୀ |
ପୂର୍ବ ଗୌରବକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ:
ସେହିପରି ଆଜି କେବଳ ପୂର୍ବ ଭାରତ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ବୃହତ ବନ୍ଦର ଭାବରେ ପାରାଦ୍ୱୀପ ବନ୍ଦର ଉଭା ହୋଇଛି । କାର୍ଗ ହ୍ୟାଣ୍ଡ ଲିଂ ଆଦି କ୍ଷେତ୍ରରେ ପାରାଦ୍ୱୀପ ବନ୍ଦର ବିରଳ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ବନ୍ଦର ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି । ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦର ଆହୁରି ଅଧିକ ବିକଶିତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ନିଜ ଅଭି ଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ଏକ ବନ୍ଦର ଭିତ୍ତିକ ଜିଲ୍ଲା ଭାବରେ ପରିଚିତ । ପୂର୍ବରୁ, ଚେରୀତୋଳ, ଜଟାଧାରୀ ସମୁଦ୍ର ମୁହାଁଣ ଆଦି ଅନେକ ଅଞ୍ଚଳରେ ନୌବାଣିଜ୍ୟ କାରବାର କରାଯାଉଥିଲା । ନୌବାଣିଜ୍ୟ କ୍ଷେତ୍ରରେ ଏହି ଅଞ୍ଚଳ ବେଶ ସୁନାମ ଅର୍ଜନ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ପାରାଦ୍ୱୀପ ପୋର୍ଟର ଅଧ୍ୟକ୍ଷ ପି.ଏଲ ହାରାନାଦ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଜଗତସିଂହପୁର