ବ୍ରହ୍ମପୁର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସାରା ରାଜ୍ୟରେ ଡଙ୍ଗା ଭସାଉଛନ୍ତି ଲୋକେ । ସବୁଠି ଗୁଞ୍ଜରିତ ହେଉଛି ଆ-କା-ମା-ବୈ । ସବୁଠି ଉତ୍ସାହର ମାହୋଲ ଥିବା ବେଳେ କଳିଙ୍ଗର ନୈବାଣିଜ୍ୟ ପରମ୍ପରାର ଗୌରବଗାଥାକୁ ମନେ ପକାଇ ରାଜ୍ୟର ପୁରାତନ ବନ୍ଦର ଭାବରେ ପରିଚିତ ଗୋପାଳପୁର ଠାରେ ଆୟୋଜିତ ହୋଇଯାଇଛି ପ୍ରଥମ ବୋଇତ ବନ୍ଦାଣ ଉତ୍ସବ । ଯେଉଁଥିରେ ପ୍ରଥମଥର ପାଇଁ ରାଜ୍ୟର ଅନ୍ୟବନ୍ଦର ମାନଙ୍କ ଭଳି ଗୋପାଳପୁର ଠାରେ ସଜ୍ଜିତ ବୋଇତରେ ପରିକ୍ରମା କରିଥିଲେ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତାଙ୍କ ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଧାୟକ ଓ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ପୂରାତନ ପରମ୍ପରାକୁ ଉଜ୍ଜିବୀତ କରିବା ପ୍ରମୁଖ ଲକ୍ଷ୍ୟ:
ଗଞ୍ଜାମ ଜିଲ୍ଲା ସହିତ ପୁରାତନ ନୈବାଣିଜ୍ୟ କାରବାରର ରହିଛି ଅନେକ ସମ୍ପର୍କ । ଆଉ ସେହି ପୂରାତନ ପରମ୍ପରାକୁ ଉଜ୍ଜୀବିତ କରିବା ପ୍ରମୁଖ ଲକ୍ଷ୍ୟ ନେଇ ଗୋପାଳପୁର ବେଳାଭୂମି ଠାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରିବା ମୂଖ୍ୟ ଲକ୍ଷ୍ୟ ରହିଥିଲା ବୋଲି କହିଛନ୍ତି ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହି ଅବସରରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ‘ଗୋପାଳପୁର କଳିଙ୍ଗ ମାଟିର ଏହା ପେଣ୍ଠସ୍ଥଳ । ଗୋପାଳପୁର ସେହି ଗୌରବର ଗାଥାକୁ ମନେ ପକାଇଦେବ । ସାଧବପୁଅ ମାନେ ଗଞ୍ଜାମର ପାଲୁର ଠାରୁ ଆରମ୍ଭ କରି ବାହୁଦା ପର୍ଯ୍ୟନ୍ତ ମୁହାଣକୁ ନେଇ ଏଠାରେ ବ୍ୟବସାୟ କରୁଥିଲେ ।’ ଏପରିକି ଓଡିଆ ସାଧବ ପୁଅ ମାନେ କିପରି ଜଳପଥ ଦେଇ ସାତ ସମୁଦ୍ର ତେର ନଈ ପାର ହୋଇ କିପରି ବ୍ୟବସାୟ ବାଣିଜ୍ୟ କରୁଥିଲେ ତାହାକୁ ନେଇ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ ।
ଐତିହ୍ୟକୁ ମନେ ପକାଇବା ପାଇଁ ସୁନ୍ଦର କାର୍ଯ୍ୟକ୍ରମ:
ରାଜ୍ୟର ଅନ୍ୟ ପ୍ରମୁଖ ବନ୍ଦର ଭଳି ଗୋପାଳପୁର ଠାରେ ପ୍ରଥମଥର ପାଇଁ ଆଯୋଜିତ ହୋଇଥିବା ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ମୁଖ୍ୟତଃ ଐତିହ୍ୟକୁ ମନେ ପକାଇବା ପାଇଁ ରାଜ୍ୟ ସରକାର ଏବଂ ଗଞ୍ଜାମ ପ୍ରଶାସନର ସୁନ୍ଦର କାର୍ଯ୍ୟକ୍ରମ ବୋଲି ଆଲୋଚନା ସମୟରେ କହିଥିଲେ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ । କାର୍ଯ୍ୟକ୍ରମରେ ଖଲ୍ଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସମେତ ସୋରଡା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରାୟ ସମେତ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଙ୍ଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗିରଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର