ନୂଆପଡା: ଜିଲ୍ଲା ଅବହେଳିତ କୋଟାମାଲ ଗାଁରେ ପରିମଳ ରାସ୍ତାଘାଟ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଏହିସବୁ ଅସୁବିଧା ସୁଧାରିବା ପାଇଁ ସରକାର ସ୍ୱଚ୍ଛ ଭାରତ ନାଁରେ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଥିବାବେଳେ କୋଟାମାଲ ଗାଁରେ ଯୋଜନା ବାଟବଣା ହୋଇପଡିଛି । ଦୀର୍ଘ 15ବର୍ଷ କାଳ ଗାଁଟି ଅବହେଳିତ ଅବସ୍ଥାରେ ପଡିଥିବାବେଳେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନକହିବା ଭଲ । ଶୀତ, ଖରା, ବର୍ଷା ସବୁ ଋତୁରେ ଗାଁ ଦାଣ୍ଡରେ କାଦୁଅ ମଇଳା ପାଣି ଭାସୁଛି । ଫଳରେ ଗାଁ ଲୋକେ ବିଭିନ୍ନ ସଂକ୍ରମଣରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 85 କିଲୋମିଟର ଦୂର ଖଡ଼ିଆଳ ବ୍ଲକସ୍ଥିତ ଅବହେଳିତ କୋଟାମାଲ ଗାଁ । ଗାଁର ନାଗପଡା ଠାରୁ କେତକିପଡା ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଗାଁଲୋକେ କାଦୁଅ ପାଣି ଉପରେ ଯାତାୟତ କରୁଥିବାବେଳେ, ମଶା ମାଛି ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ କାଛୁକୁଣ୍ଡିଆ, ମ୍ୟାଲେରିଆ ରୋଗ ଆଦି ଗାଁରେ ବ୍ୟାପିବାରେ ଲାଗିଛି । ଗାଁର ଏଭଳି ସମସ୍ୟା ଦିନେ କିମ୍ବା ଦୁଇ ଦିନର ନୁହେଁ । ସମସ୍ୟାର ସମାଧାନ ପାଇଁ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଗାଁ ସରପଞ୍ଚ ଏବଂ ଖଡ଼ିଆଳ ବିଡିଓଙ୍କୁ ଜଣାଇଛନ୍ତି, ହେଲେ ଫଳ ଶୂନ ।
ଖଡ଼ିଆଳ ବ୍ଲକ କୋଟାମାଲ ଗାଁ 3 ହଜାର ଜନସଂଖ୍ୟା ବିଶିଷ୍ଟ । ଛୋଟ ବଡ଼ 7 ଗୋଟି ସାହିପଡା ରହିଛି । ରାଣୀମୁଣ୍ଡା ଗ୍ରାମପଞ୍ଚାୟତସ୍ଥିତ ପଲମାଗଡ଼ ଜଙ୍ଗଲକୁ ଲାଗିରହିଛି ଏହି ଅବହେଳିତ ଗାଁ । ଗାଁର ନାଗପଡା ଠାରୁ କେତକିପଡା ପରିଧି ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି ସେଣ୍ଟର, ଗଜ ଲକ୍ଷ୍ମୀ ପୂଜା ମଣ୍ଡପ, ଗାଁପୋଖରୀ ଆଦି ରହିଛି । ଫଳରେ ଏହି ରାସ୍ତା ଦେଇ ପ୍ରତିଟି ମୁହୂର୍ତ୍ତରେ ପିଲା ଠାରୁ ବୟସ୍କ ସମସ୍ତେ ଯାତାୟତ କରିଥାନ୍ତି ଆଉ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଶେଷକରି ଗର୍ଭବତୀ ମହିଳା, ବୃଦ୍ଧ ଲୋକ, କୋମଳମତି ଛାତ୍ରଛାତ୍ରୀ ଗାଁଦାଣ୍ଡ କାଦୁଅରେ ଖସିପଡି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଥାଏ । ଗାଁ ସମସ୍ୟା ନେଇ ଇଟିଭି ଭାରତ ପ୍ରତିନିଧି ପହଞ୍ଚିଥିଲେ ଖଡ଼ିଆଳ ବିଡ଼ିଓଙ୍କ ପାଖରେ । କୋଟାମାଲ ଗାଁର ସମସ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଅପରପକ୍ଷେ ଅର୍ଥ ମଞ୍ଜୁର ହୋଇଆସିଛି, ଖୁବ ଶୀଘ୍ର କୋଟାମାଲ ଗାଁର ଡ୍ରେନେଜ ଏବଂ ରାସ୍ତା କାମ ଆରମ୍ଭ ହୋଇଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଖଡ଼ିଆଳ ବିଡିଓ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ