ନୂଆପଡ଼ା: ତହସିଲ କାର୍ଯ୍ୟାଳୟ ଆଗରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଚାକିରିରୁ ତହସିଲଦାରଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । କାର୍ଯ୍ୟରେ ଅବହେଳା ଯୋଗୁଁ ନୂଆପଡ଼ା ଜିଲ୍ଲା ସଦର ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବନ କରାଯାଇଥିବା ନେଇ ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି । ଗତ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦିବ୍ୟାଙ୍ଗ ଯୁବକ ।
ମୃତ ଯୁବକ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର 35 ବର୍ଷୀୟ ଜଗଦୀଶ ଚୌହାନ । ନିଜ ଜମି ବିକ୍ରି କରିବାକୁ ନୂଆପଡ଼ା ତହସିଲଦାରଙ୍କ ଅନୁମତି ପାଇଁ ଦୀର୍ଘ 4 ବର୍ଷ ହେଲା ଦରଖାସ୍ତ କରିଥିଲେ । ହେଲେ ତହସିଲଦାର ଅନୁମତି ଦେବା ପରିବର୍ତ୍ତେ ହଇରାଣ ହରକତ କରି ଆସୁଥିବା ସେ ଅଭିଯୋଗ କରିଥିଲେ । ଫଳରେ ଯୁବକ ଜଣକ ଚିନ୍ତାରେ ଭାଙ୍ଗି ପଡିଥିଲେ । ଗୁରୁବାର ନୂଆପଡ଼ା ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ହଠାତ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଗଦୀଶ ଚୌହାନ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଘଟଣା ଘଟିବା ପରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଏବଂ ସ୍ଥାନୀୟ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାର ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଇଥିଲେ । ଜିଲ୍ଲାପାଳ ଓ ପୋଲିସର ତଦନ୍ତ ରିପୋର୍ଟକୁ ଆଧାର କରି ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି । ଏନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ଘଟଣାର ଆହୁରି ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବା ପାଇଁ ନୂଆପଡ଼ା ADMଙ୍କୁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲପାଳ କହିଛନ୍ତି ।
କାହିଁକି ଏବଂ କେଉଁ ପରିସ୍ଥିତିରେ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟହେଲେ । ତାହାର ତଦନ୍ତ କରି ADM ରିପୋର୍ଟ ଦାଖଲ କରିବା ପରେ ଅଧିକ ତଥ୍ୟ ପଦାକୁ ଆସିବ । ଅନ୍ୟପଟେ ମୃତ ଯୁବକଙ୍କ ମାଆ ବିଶିନୀ ବାଇ ମଧ୍ୟ ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ନୂଆପଡ଼ା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ସହ କାର୍ଯ୍ୟରେ ଅବହେଳା କରିଥିବା ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ଦାବି କରିଛି ଓକିଲ ସଂଘ ।
ଇଟିଭି ଭାରତ, ନୂଆପଡ଼ା