ନୂଆପଡା: ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅମାନବିକତା ହାଟରେ ପଡି ଦାଣ୍ଡରେ ଗଡୁଛି । ଶତାୟୁ ବୃଦ୍ଧା ମା'କୁ 60 ବର୍ଷର ବୃଦ୍ଧା ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କକୁ ନେବା ଘଟଣା ଯୋଗଗୁରୁ ବାବା ରାମଦେବଙ୍କୁ ବିଚଳିତ କରିଛି । ଏଭଳି ଅମାନବିକତା ଘଟଣାକୁ ବାବା ରାମଦେବ ନିନ୍ଦା କରିବାସହ ବୃଦ୍ଧାଙ୍କ ବିଷୟରେ ତଦନ୍ତ କରି ତାଙ୍କୁ ରିପୋଟ ଦେବାକୁ ନୂଆପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖଡ଼ିଆଳ ବ୍ଲକ ବରଗାଁକୁ ନୂଆପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତିର ଡାକ୍ତର ସୁଦର୍ଶନ ଦେବ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ବୃଦ୍ଧା ଲବେ ବାଗଙ୍କ ଘରକୁ ପରିଦର୍ଶନରେ ଯାଇଥିଲେ । ସାଙ୍ଗରେ ନୂଆପଡା ପତଞ୍ଜଳୀ ଯୋଗ ସମିତି ଜିଲ୍ଲା ସଂଯୋଜକ ଡାକ୍ତର ବାସୁଦେବ ସାହୁ, ଖଡ଼ିଆଳ ତହସିଲ ସଂଯୋଜକ ପୂର୍ଣ୍ଣଚନ୍ଦ୍ର କର୍ମୀ, ସାମ୍ବାଦିକ ଘନଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ବୃଦ୍ଧାଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଏହି ରିପୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ଜଣାଇବେ ବୋଲି ଡାକ୍ତର ସୁଦର୍ଶନ ଦେବ ଆଚାର୍ଯ୍ୟ କହିଛନ୍ତି । ଏନେଇ ବୃଦ୍ଧା ଓ ତାଙ୍କ ଝିଅ ପୁଞ୍ଜିମତିଙ୍କୁ ଗୋଟିଏ ମାସର ରାସନ ଯୋଗାଇ ଦିଆଯାଇଛି । ଏଥିରେ ଚାଉଳ, ଡାଲି, ତେଲ, ଲୁଣ, ମସଲା, ସାବୁନ, ପନିପରିବା ଓ 1500 ଟଙ୍କା ସହ ଉଭୟ ମାଆ ଝିଅଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରିଛନ୍ତି । ସେହିଭଳି ବରଗାଁ ର ଅସହାୟ ଗରିବ 20 ଜଣ ବୃଦ୍ଧାଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ