ନୂଆପଡ଼ା: ଓବିସି (OBC)ଶ୍ରେଣୀର ଲୋକମାନଙ୍କୁ ଜନ ଜାଗରଣ କରିବା ପାଇଁ ରାଜ୍ୟବ୍ୟାପୀ ଭ୍ରମଣ କଲା OBC ରଥ । ମଙ୍ଗଳବାର ନୂଆପଡା ଜିଲ୍ଲାରେ ଏହି ରଥ ଭ୍ରମଣ କରିଛି । ଏହି ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ OBC ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ଆହ୍ବାନ କ୍ରମେ ରାଜ୍ୟର 30ଟି ଜିଲ୍ଲାରେ ଭ୍ରମଣ କରିଛି OBC ରଥ ।
ଓଡ଼ିଶା ରାଜ୍ୟ ତଥା ସାରା ଭାରତ ବର୍ଷରେ ହାରାହାରି 53ରୁ 54 ଶତକଡ଼ା OBC ବର୍ଗର ଲୋକେ ବସବାସ କରୁଥିବା ବେଳେ, ଏହି ବୃହତ ବର୍ଗ ପ୍ରତି ସରକାର ଚରମ ଅବହେଳା କରୁଥିବା ଅଭିଯୋଗ କରିଛି ରାଜ୍ୟ OBC ମଞ୍ଚ । ଦେଶର ସମ୍ବିଧାନରେ OBC ବର୍ଗର ଲୋକମାନଙ୍କ ପାଇଁ ନିଯୁକ୍ତି, ଶିକ୍ଷା, ରାଜନୀତି କ୍ଷେତ୍ରରେ 27 ପ୍ରତିଶତ ସ୍ଥାନ ସଂଗ୍ରକ୍ଷଣ (କୋଟା) ରହିଥିବା ବେଳେ ଓଡ଼ିଶା ସରକାର OBCଙ୍କୁ ସୁରକ୍ଷା ସଂରକ୍ଷଣ ଦେବା ବଦଳରେ ଚରମ ଅବହେଳା କରିଛନ୍ତି । ଦେଶ ସ୍ବାଧୀନତା 76 ବର୍ଷ ବିତି ଯାଇଥିଲେ ସୁଦ୍ଧା OBCଙ୍କ ଭାଗ୍ୟ ଭବିଷ୍ୟତ ବିଷୟରେ ଚିନ୍ତା କରିନାହାନ୍ତି ସରକାର । ଏନେଇ ରାଜ୍ୟବ୍ୟାପି OBC ତାତି ଲାଗିଥିବା ବେଳେ OBC ଲୋକଙ୍କୁ ଜନ ଜାଗରଣ କରିବା ପାଇଁ 26 ନଭେମ୍ବର ପବିତ୍ର ସମ୍ବିଧାନ ଦିବସ ପରଠୁ ଓଡ଼ିଶା ଭ୍ରମଣ ଲକ୍ଷ୍ୟନେଇ BOC ରଥ ବାହାରିଛି ।
ଏହା ମଧ୍ୟ ପଢ଼ନ୍ତୁ.....ଓବିସି ସର୍ଭେ ରିପୋର୍ଟ ଦାଖଲ କଲେ କମିଶନ; ରାଜ୍ୟରେ 1 କୋଟି 95 ଲକ୍ଷ ପଛୁଆ ବର୍ଗର ଲୋକ !
ତେବେ ଏହି ରଥ ଆଜି କଳାହାଣ୍ଡି ଜିଲ୍ଲା ଦେଇ ନୂଆପଡ଼ା ଜିଲ୍ଲା ହାତୀବନ୍ଧା, କାପସି, ଗଡରାମାଲ, ତିମନପୁର, ବୋଡେ଼ନ ଅଞ୍ଚଳରେ OBC ରଥ ଭ୍ରମଣ କରି OBC ମଞ୍ଚର ଲକ୍ଷ୍ୟ ଓ ଭବିଷ୍ୟତ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି । ରଥରେ ରାଜ୍ୟ OBC ମଞ୍ଚ ସଭାପତି ଶଙ୍କର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସମାର୍ଜିତ ବେହେରା, କୋଷଧ୍ୟକ୍ଷ ପରଦେଶୀ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ ପ୍ରମୁଖ ରହିଛନ୍ତି । ଆଜି ନୂଆପଡା ଜିଲ୍ଲା ହାତୀବନ୍ଧା ଠାରେ OBC ରଥକୁ ସ୍ୱାଗତ କରିବା ପାଇଁ ନୂଆପଡା OBC ମଞ୍ଚ ସଭାପତି ଜଗବନ୍ଧୁ ବାରିକ, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଯୁବନେତା ପ୍ରିୟରଞ୍ଜନ ମେହେର, କପିଳ ଭୋଇ, ହୀରାଧର ମେହେର ସହିତ ଜିଲ୍ଲା OBC ମଞ୍ଚର ବହୁ ସଂଖ୍ୟକ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ନୂଆପଡ଼ା