ନୂଆପଡା: ଜିଲ୍ଲା ସଦର ମହୁକମା ଠାରୁ 118 କିମି ଦୂରତା ସିନାପାଲି ଥାନା ଅନ୍ତର୍ଗତ ତିଲେଇମାଲ ଗାଁରେ ହତ୍ୟାକାଣ୍ଡ। ତିଲେଇମାଲ ଗାଁର ହେରମ୍ବ ନାଗ ନାମକ ବ୍ୟକ୍ତିଙ୍କୁ କେହି ଅଜଣା ଦୁର୍ବୃତ୍ତ ଘରେ ପଶି ଗଳାକାଟି ହତ୍ୟା କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଖବରପାଇ ସିନାପାଲି ଥାନା ଆଇଆଇସି ଜ୍ୟୋତିରଞ୍ଜନ ଗୌଡଙ୍କ ସମେତ ପୋଲିସ ବାହିନୀ ତିଲେଇମାଲ ଗାଁକୁ ଯାଇ ଛାନଭିନ ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ ତିଲେଇମାଲ ଗାଁର ହେରମ୍ବ ନାଗ ସ୍ତ୍ରୀ ଧନସେ ନାଗଙ୍କର 3 ଜଣ ନାବାଳକ ଝିଅ ଓ 2 ଜଣ ନାବାଳକ ପୁଅ ସହ ଦୁଃଖ କଷ୍ଟରେ ସଂସାର କରି ଚଳୁଥିଲେ। ମୃତକ ହେରମ୍ବ ନାଗ ଉକ୍ତ ଗାଁର ସୁଶାନ୍ତ ସିଂଙ୍କ ଝିଅକୁ ବାହା ହୋଇଥିଲେ। କୌଣସି କାରଣ ଯୋଗୁଁ ପିଲାଙ୍କ ସହ ସ୍ତ୍ରୀ ତାଙ୍କ ବାପ ଘରେ ରହି ଆସୁଥିବା ବେଳେ, ନିଜ ଘରେ ଏକା ହେରମ୍ବ ନାଗ ରହୁଥିଲେ। ଶ୍ବଶୁର ଘରୁ ପ୍ରତିଦିନ ଝିଅ ମାଧୁରୀ ବାପା ହେରମ୍ବ ପାଇଁ ଖାଦ୍ୟ ଆଣି ଦେଇ ଯାଉଥିଲେ ।
ତେବେ ପୂର୍ବ ଭଳି ମଙ୍ଗଳବାର ରାତିରେ ଖାଦ୍ୟ ଦେଇ ମାମୁଁ ଘରକୁ ଫେରି ଯାଇଥିଲା ଝିଅ । ପୁଣି ଝିଅ ସକାଳୁ ଖାଇବା ଆଣି ବାପା ଙ୍କୁ ଦେବା ବେଳକୁ ହେରମ୍ବର ଗଳା କାଟି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲା ଝିଅ । ଏହାପରେ ଘଟଣା ପ୍ରଘଟ ହୋଇଥିଲା । ହେଲେ କେଉଁ କାରଣରୁ ହେରମ୍ବ ନାଗଙ୍କୁ ଗଳାକାଟି ହତ୍ୟା କରାଯାଇଛି ସେନେଇ କାରଣ ସ୍ପଷ୍ଟ ହୋଇନାହିଁ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ