ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଳକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ ସ୍ଥିତ ମାଲପଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ଟିଏମସି ସେଣ୍ଟରରେ ଅଘଟଣ । ମଙ୍ଗଳବାର ମଧ୍ୟ ରାତ୍ରିରେ ସମସ୍ତ ପ୍ରବାସୀ ଓଡ଼ିଆ ଦାଦନ ଶ୍ରମିକ ଶୋଇଥିବା ବେଳେ ଜଣେ ମହିଳା ଦାଦନ ଶ୍ରମିକ ବେକରେ କପଡା ବାନ୍ଧି ନିକଟସ୍ଥ ଲିମ୍ବ ଗଛରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ସୁବର୍ଣ୍ଣି ମାଝୀ ଓ ଗାଁ ଖଡ଼ିଆଳ ବ୍ଲକ ଦାବରୀ ବୋଲି ଜଣାପଡିଛି ।
ଘଟଣାର ଖବର ପାଇ ଖଡ଼ିଆଳ ପୋଲିସ, ଦମକଳ ବାହିନୀ, ଖଡ଼ିଆଳ ବିଡ଼ିଓ, ସ୍ବାସ୍ଥ୍ୟ ବିଭାଗ ତଥା ରେଭ୍ୟୁନୁ ଅତିରିକ୍ତ ଜିଲ୍ଲାପାଳ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ମୃତ ଦାଦନ ଶ୍ରମିକ ସୁବର୍ଣ୍ଣି ମାଝୀ ନିଜ ସ୍ବାମୀ କାହ୍ନୁ ମାଝୀଙ୍କ ସହ ଆନ୍ଧ୍ରପ୍ରଦେଶ ତେଲାଙ୍ଗାନାରୁ ଫେରି ଚଳିତ ମାସ 4 ତାରିଖ ଠାରୁ ମାଣ୍ଡୋସିଲ ମାଲପଡା ଟିଏମସିରେ ରହିଥିଲେ । ବୁଧବାର ତାଙ୍କର ଟିଏମସି ଅବଧି ଶେଷ ହୋଇ ରିଲିଫ ହୋଇ ନିଜଗାଁ ଦାବରୀକୁ ଫେରି ଯିବାର ଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ସକାଳେ ଦେଖିବା ବେଳକୁ ସୁବର୍ଣ୍ଣିଙ୍କ ମୃତ ଦେହ ଗୋଟିଏ ଲିମ୍ବ ଗଛରେ ଝୁଲୁଥିବା ଦେଖାଦେଇଛି ।
କଡା ସୁରକ୍ଷା ବଳୟରେ ଟିଏମସି ସେଣ୍ଟରେ ଆଶ୍ରୟ ନେଇଥିବା ମହିଳା ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡ଼ିନାହିଁ । ସଙ୍ଗରୋଧ କେନ୍ଦ୍ରରୁ ବାହାରକୁ ଯାଇ ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳେ ଟିଏମସି ଦାୟିତ୍ବରେ ଥିବା କର୍ମଚାରୀ, ଚୌକିଦାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇପଡିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ