ନୂଆପଡା: ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଗଣଧାରଣା । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନୂଆପଡା ଜିଲ୍ଲା ଖଡିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଗଣଧାରଣାରେ ବସିଛନ୍ତି ।
ମହାମାରି କୋଭିଡ19 ର ନିୟମକୁ ପାଳନ କରି ସାମାଜିକ ଦୂରତା ଓ ମୁହଁରେ ମାକ୍ସ ବ୍ୟବହାର କରି ଗଣଧାରଣା ଦେଇଛନ୍ତି କେନ୍ଦୁପତ୍ର କର୍ମଚାରୀ । ଖଡ଼ିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏବଂ କର୍ମଚାରୀଙ୍କ ବେପାରୁଆ ଖାମଖିଆଲ ମନୋଭାବ କାରଣରୁ କେନ୍ଦୁପତ୍ର ତୋଳାଳୀ,କର୍ମଚାରୀ,ଚପରାଶି,ମୁଙ୍ଗସି ଆଦି କର୍ମଚାରୀ ବର୍ଷବର୍ଷଧରି "ସାମାଜିକ କଲ୍ୟାଣ ଯୋଜନାର" ସୁଫଳ ପାଉନଥିବା ବିକ୍ଷୋଭ କାରୀ ଅଭିଯୋଗ କରିଛନ୍ତି । ସାମାଜିକ କଲ୍ୟାଣ ଯୋଜନାରେ ସାମିଲ ହୋଇ ଯୋଜନା ମୁତାବକ ସରକାରୀ ଆର୍ଥିକ ସହାୟତା ପାଇବାକୁଥିବା ଶତାଧିକ ହିତାଧିକାରୀ 2017 ମସିହାରୁ ଅଦ୍ୟାବଧି ଚାତକ ପରି ଚାହିଁ ବସିଛନ୍ତି ।ସାମାଜିକ କଲ୍ୟାଣ ଯୋଜନାର ସରକାରୀ ସହାୟତା ପାଇବା ପାଇଁ କର୍ମଚାରୀମାନେ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଛନ୍ତି ।
ଶୁକ୍ରବାର କର୍ମଚାରୀମାନେ ଉତକ୍ଷିପ୍ତ ହୋଇ ସାମାଜିକ କଲ୍ୟାଣ ସହାୟତା ତୁରନ୍ତ ପ୍ରଦାନ ଦାବିରେ ଖଡ଼ିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 2017,2018,2019 ବର୍ଷର ମୃତ୍ୟୁ କାଳୀନ ସହାୟତା,ଝିଅ ବାହାଘର ସହାୟତା,ଛାତ୍ରବୃତ୍ତି ସହାୟତା,ଚିକିତ୍ସା ସହାୟତା, ସିଜିନାଲ ଷ୍ଟାପର EPF ବ୍ୟବସ୍ଥା ଉପରେ ବିକ୍ଷୋଭ କାରୀ ଦାବି କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ