ପୁରୀ: ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀ ପାଳିଛି ସାରା ରାଜ୍ୟ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ନେଇ ପୁଣି ଜୋର ଧରିଛି ଦାବି । ବିଜୁ ଜୟନ୍ତୀ 107 ତମ ଜନ୍ମ ଜୟନ୍ତୀ ଅବସରରେ ଜଗନ୍ନାଥ ସେନା ପକ୍ଷରୁ ବିଜୁବାବୁଙ୍କ ଅସ୍ଥି ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ବର୍ଗଦ୍ବାର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବିଜୁବାବୁଙ୍କ ଅସ୍ଥି ପୁରୀ ଅର୍ବାନ ହାଟରେ ରଖାଯାଇଛି ।
ସ୍ବର୍ଗଦ୍ଵାରରୁ ବିଜୁବାବୁଙ୍କ ସମାଧି ଉଚ୍ଛେଦ ପରେ ସେଠାରୁ ଅସ୍ଥି, ପାଉଁଶ, ଆଦି ଅଣାଯାଇ ଅର୍ବାନ ହାଟରେ ରଖାଯାଇ ଥିବା ପୁରୀ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଉଛି । ତେବେ ପ୍ରବାଦ ପୁରୁଷ ବିଜୁ ବାବୁ ଅସ୍ଥିକୁ ତାଙ୍କ ପୁଅ ନବୀନ ବାବୁ ନେଇ ଏକ ବଡ଼ ସ୍ମୃତି ସ୍ତମ୍ୱ ସ୍ଥାପନ ପାଇଁ ଜଗନ୍ନାଥ ସେନା ଦାବି କରିଛି । ରାଜ୍ୟ ସରକାର ବିଜୁ ବାବୁଙ୍କ ଅସ୍ଥି ନନେଲେ ପୁରୀରୁ ଜଗନ୍ନାଥ ସେନା ଅସ୍ଥି କଳସ ଶୋଭାଯାତ୍ରା କରି ନବୀନ ନିବାସରେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏହା ହସ୍ତାନ୍ତର କରାଯିବ ବୋଲି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 107ତମ ଜନ୍ମ ଜୟନ୍ତୀ ପାଳିତ
ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ ନକଲେ ଦିଲ୍ଲୀରେ ଇଣ୍ଡୋନେସିଆ ରାଷ୍ଟ୍ରଦୁତଙ୍କୁ ଏହା ପ୍ରଦାନ କରାଯିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି । ତେବେ ବିଜୁ ବାବୁଙ୍କ ନାମରେ ସରକାର ଦୀର୍ଘ 25 ବର୍ଷ ହେବ ଶାସନ କରୁଥିବା ବେଳେ ବିଜୁ ବାବୁଙ୍କ ସ୍ମୃତିରେ ଏକ ସ୍ମୃତି ସ୍ତମ୍ଭ ନରହିବା ଅତି ଦୁଃଖର ବିଷୟ ବୋଲି ଜଗନ୍ନାଥ ସେନା କହିଛି । ଏହାସହ ପ୍ରବାଦ ପୁରୁଷଙ୍କୁ ଯାଥା ସମୃତ ସମ୍ମାନ ମିଳିବା ନେଇ ଜଗନ୍ନାଥ ସେନା ଦାବି କରିଛନ୍ତି ।
ଏହାସହ ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପାଇଁ ନବୀନ ବାବୁଙ୍କୁ ଅନୁରୋଧ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ । ଓଡିଶାର ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ମିଳୁନଥିବା ଅଭିଯୋଗ କରିଛି ଜଗନ୍ନାଥ ସେନା । ଯଦି ଓଡିଶାର ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ନଦିଆଯାଏ ଜଗନ୍ନାଥ୍ ସେନା ପକ୍ଷରୁ ଏକ ବିଶାଳ ରାଲି କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ପୁରୀ