ନୂଆପଡା: ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ପାଇଥିବା କିଛି ସ୍ବାଧୀନତା ସଂଗ୍ରାମୀ ଏବେ ବି ଅବହେଳିତ । କେତେବେଳେ ସମାଜ ତ ଆଉ କେତେବେଳେ ସରକାରଙ୍କ ଦ୍ବାରା । ଏମିତି ଜଣେ ସ୍ବାଧାନତା ସଂଗ୍ରାମୀ ଏବେ ସରକାରଙ୍କ ଅଣଦେଖାର ହୋଇଛନ୍ତି ଶିକାର । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦି ଗାଁର ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାଝି ।
ସୁନାଧର ମାଝୀଙ୍କ ପତ୍ନୀ ସୁପାରି ମାଝୀଙ୍କ ବଡପୁଅ ହେଉଛନ୍ତି ସ୍ଵର୍ଗୀୟ ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାଝୀ । ଦାରିଦ୍ରତାର କଷାଘାତରେ ପୀଡିତ ଏହି ଆଦିବାସୀ ପରିବାରରେ ୧୯୦୯ ମସିହାରେ ଖଡିଆଳ ବ୍ଲକ ବାଦି ଗାଁରେ ଜନ୍ମଗ୍ରହଣ କରନ୍ତି ଏହି ସଂଗ୍ରାମୀ । ପରିବାରରେ ଅଭାବ ଅସୁବିଧା କାରଣରୁ ସେତେବେଳେ କେବଳ ହିନ୍ଦୀ ଭାଷାରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାରେ ସକ୍ଷମ ହୋଇଥିଲେ ବୀର ସଂଗ୍ରାମୀ । ଏହାପରେ ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦିଅନ୍ତି ସ୍ଵର୍ଗୀୟ ମାଝୀ । ଯାହାର ପରିଣାମ ସଦୃଶ 1933 ମସିହାରେ ଇଂରେଜ ସରକାର ଦ୍ଵାରା ଗିରଫ ହୋଇ ଲାଠି ପାହାର ଖାଇଥିଲେ ।
ବାଦି ଗାଁର ଏହି ବୀର ପୁଅ ଧରମ ସିଂ ମାଝୀ ଏ ଦୁନିଆ ନାହାନ୍ତି ସତ ହେଲେ ଜନ୍ମମାଟି ବାଦି ଗାଁରେ ଛାଡି ଯାଇଛନ୍ତି ନିଜ ସ୍ମୃତି । ସ୍ଵର୍ଗୀୟ ମାଝିଙ୍କ ବାସଭବନରେ ଝିଅ ଶକୁନ୍ତଳା ମାଝି ହିଁ ରହୁଛନ୍ତି । ପିତାଙ୍କ ଅତୀତର ଗାଥାକୁ ମନେପକାଇ ସେ ଆଜି ଯେତିକି ଗର୍ବିତ ତା' ଠାରୁ ଅଧିକ ଆଜି ସେ ଦୁଃଖିତ । କାରଣ ଏହି ସଂଗ୍ରାମୀଙ୍କ ପରିବାର ପ୍ରତି ନାହିଁ ସରକାରଙ୍କ ଆନ୍ତରିକତା ।
ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗୀୟ ଧରମ ସିଂ ମାଝି ନିଜ ଜୀବନ କାଳରେ ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି । ସେହିପରି ନିଜ ଗାଁ ପାଇଁ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ଯାହାର ପ୍ରମାଣ ସାଜିଛି ଗାଁରେ ନିର୍ମିତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ସୁବିଧା । ଏଥିସହିତ ତାଙ୍କ ନିର୍ମିତ ଅନୁଷ୍ଠାନ । ଦିନେ ଅନ୍ୟର ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ଆଦିବାସୀ ମଣିଷଟିଏକୁ ଏଯାବତ୍ ପେନସନ ଖଣ୍ଡେ ଯୋଗାଇବାରେ ଅସଫଳ ସରକାର । 2008ରେ ସେ ଇହଲୀଳା ତ୍ୟାଗ କରିବା ପରେ ନେତାଠୁ ମନ୍ତ୍ରୀ ସଭିଙ୍କର ତାଙ୍କ ଝିଅକୁ ଛୁଟିଥିଲା ଆଶ୍ବସନାର ସୁଅ । ହେଲେ ବଦଳିଥିବା ସମୟ ସହ ବଦଳିଛି ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତିର ପାହାଡ । କିନ୍ତୁ ଜନ୍ମମାଟି ଭୂଲିନାହିଁ ନିଜ ବୀରପୁଅର ଗାଥାକୁ । ପ୍ରତିବର୍ଷ ଅକ୍ଟୋବର 2 ତାରିଖ ଅର୍ଥାତ ଗାନ୍ଧୀ ଜୟନ୍ତୀରେ ନିଜ ବୀର ପୁଅକୁ ମନେପକାଇ ଗର୍ବିତ ଅନୁଭବ କରନ୍ତି ଜନ୍ମମାଟିର ସେହି ମଣିଷମାନେ । ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ଅଣଦେଖାରୁ ବଞ୍ଚିତ ଏହି ପରିବାରକୁ କେବେ ମିଳୁଛି ସରକାରୀ ସହାୟତା ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ