ନୂଆପଡ଼ା: ଜିଲ୍ଲାର ସିଲାଲଗଡ଼ କୁହାଯାଉଥିବା ସୁନାବେଡ଼ା ଅଭୟାରଣ୍ୟ ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲ ସ୍ଥିତ ଝୋଲାପଡା ଗାଁଠାରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହାପରେ ପର୍ଯ୍ୟାପ୍ତ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବା ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁଷ ଦିବାକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବହୁ ଦିନର ବ୍ୟବଧାନ ପରେ ଲାଲଗଡ଼ରେ ମାଓବାଦୀ ତାର ଉପସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ସଂଚାର ହୋଇଛି । ମାଓ ପ୍ରବଣ ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲ୍ଲା ଘାଟମାଲ ଝୋଲାପଡା ସଂରକ୍ଷିତ ଜଙ୍ଗଲରେ ନୂଆପଡା CRPF, SOG, DVF ଯବାନଙ୍କ ମିଳିତ କମ୍ବିଂ ଅପରେସନ ଜୋରଦାର ଚାଲିଥିଲା । ଏହି ସମୟରେ ମାଓବାଦୀଙ୍କ ଉପିସ୍ଥିତି ସମ୍ପର୍କରେ ଯବାନମାନେ ଜାଣିପାରି 49 ରାଉଣ୍ଡ ଗୁଳି ବିନିମୟ କରିଥିଲେ ।
ମାଓବାଦୀ ମାନେ ମଧ୍ୟ ପାଲଟା ବନ୍ଧୁକ ମୁନରେ ଫାୟାରିଂ କରି ମାଓ କ୍ୟାମ୍ପରୁ ଚମ୍ପଟ ମାରିଥିଲେ । ପରେ ଯବାନ ପକ୍ଷରୁ ମାଓ କ୍ୟାମ୍ପ ସିଜ କରି ବ୍ୟାପକ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା SP ପ୍ରଦ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ