ନୂଆପଡ଼ା: ଜିଲ୍ଲାର ସୁନାବେଡା ଅଭୟାରଣ୍ୟ ଛତିଶଗଡ଼ ସୀମାନ୍ତ ନିଘଞ୍ଚ ଜଙ୍ଗଲରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । 3 ଜଣ ରୁ 4 ଜଣ ମାଓବାଦୀଙ୍କ ଏନକାଉଣ୍ଟର ହୋଇଥିବାବେଳେ 5 ଜଣ ମାଓବାଦୀ ଗୁରୁତର ଆହତ ହୋଇଥିବା ନୂଆପଡ଼ା SP ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।
ଏହି ଅପରେସନ ସମୟରେ ମାଓ କ୍ୟାମ୍ପକୁ ଦଖଲ କରାଯାଇ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଛି । ଗୁଇନ୍ଦା ବିଭାଗର ରିପୋର୍ଟକୁ ଆଧାର କରି ଚଳିତ ମାସ 7 ତାରିଖ ଦିନ SOG ଯବାନଙ୍କ 3 ଗୋଟି ଟିମ ଏବଂ CRPF ଯବାନଙ୍କ 1 ଟିମ ଆଣ୍ଟିନକ୍ସଲ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। 9ତାରିଖ ଦିନ ସକାଳ ସମୟରେ ଜଙ୍ଗଲ ଶୀର୍ଷ ସ୍ଥାନ ମଧ୍ୟରେ 50 ଜଣରୁ 60 ଜଣ ସଶସ୍ତ୍ର ମାଓବାଦୀ କ୍ୟାମ୍ପକୁ ଠାବ କରିଥିଲା ଯବାନ।
ଯବାନ ସମ୍ପର୍କରେ ଖବର ପାଇ ନିଜକୁ ବଞ୍ଚାଇବା ପାଇଁ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଯବାନ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ । ଗୁଳିଚାଳନା ବେଳେ 3 ଜଣରୁ 4 ଜଣ ମାଓବାଦୀଙ୍କର ଏନକାଉଣ୍ଟର ହୋଇଥିବା ବେଳେ 5 ଜଣ ମାଓବାଦୀ ଗୁରୁତର ଆହତ ହୋଇଥିବା ନୂଆପଡା SP ସୂଚନା ଦେଇଛନ୍ତି ।
ସେପଟେ ତଳେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା କାରଣରୁ ଏନକାଉଣ୍ଟର ହୋଇଥିବା ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରିବାରେ ବିଫଳ ହୋଇଛନ୍ତି ଯବାନ । ପରେ ମାଓବାଦୀ କ୍ୟାମ୍ପକୁ ଦଖଲ କରି ବିପୁଳ ମାତ୍ରାର ମାଓ ସାମଗ୍ରୀ ଜବତ କରିଛି ଯବାନ । ଏନେଇ ନୂଆପଡା SP ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ