ନୂଆପଡା: ଜିଲ୍ଲାର ଖଡିଆଳ ବ୍ଲକ ଚିଚେର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଗରିବ ଚାଷୀର ବର୍ଷକର ପରିଶ୍ରମ ଜଳିପୋଡି ପାଉଁଶ । ରବିବାର ଚିଚେର ଗ୍ରାମର ଆଦିତ୍ୟ ପାଣିଗ୍ରାହୀ ଓ ତାଙ୍କ କକା ମିତ୍ର ଭାନୁ ପାଣିଗ୍ରାହୀଙ୍କ ଧାନ ଖଳାରେ ହଠାତ ଅଗ୍ନିକାଣ୍ଡ ଘଟି 200 ବସ୍ତା ଧାନ ଭସ୍ମ ହୋଇଯାଇଛି । ଘଟଣାସ୍ଥଳରେ ଖଡିଆଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ନିଆଁ ଆୟତ୍ତ ହେବାବେଳକୁ ଖରୀ ସହ 200 ବସ୍ତା ଧାନ ପାଉଁଶ ପାଲଟି ଯାଇଛି । ବର୍ଷକର ଝାଳବୁହା ପରିଶ୍ରମକୁ ଏପରି ପାଉଁଶ ପାଲଟିଥିବା ଦେଖି କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛି । ତେବେ ଏହି ଆକସ୍ମିକ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ପ୍ରବଳ ଶୀତ କାକରରେ ଖଳା କଡରେ ନିଆଁ ଲଗାଇ ଧାନ ଜଗୁଥିଲେ ଚାଷୀ । ସେଠାରୁ ନିଆଁ ଆସି ଧାନ ଖଳାରେ ସଂଯୋଗ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
ନୂଆପଡା ମୋତିଲାଲ ବାଗ, ଇଟିଭି ଭାରତ