ନୂଆପଡା: ଜିଲ୍ଲାରେ ମଣ୍ଡି ମକା କପା ମଣ୍ଡି ପାଇଁ ଚାଷୀଙ୍କ ରାଜପଥ ଅବରୋଧ । ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ 353 ଜାତୀୟ ରାଜପଥ ତରବୋଡ ଠାରେ ରାସ୍ତା ରୋକ କରାଯାଇଛି । ନୂଆପଡା ଜିଲ୍ଲାରେ କପା, ମକା ମଣ୍ଡି ଦାବି ପୂରଣ ନେଇ ଶତାଧିକ ଚାଷୀ ରାଜପଥ ଉପରେ ଉପାର୍ଜିତ ମକା ଓ କପା ରଖି ରାସ୍ତା ଅବରୋଧ କରିଛନ୍ତି ।
ଜିଲ୍ଲାର ଖଡିଆଳ, କୋମନା, ବୋଡେନ, ସିନାପାଲି, ନୂଆପଡା ଆଦି ବ୍ଲକ ଅଞ୍ଚଳରେ ଶହ ଶହ ହେକ୍ଟର ମକା ଓ କପା ଚାଷ କରିଛନ୍ତି ଚାଷୀ । ଚଳିତ ବର୍ଷ ଭଲ ଫସଲ ମଧ୍ୟ ହୋଇଛି । ମାତ୍ର ଜିଲ୍ଲାରେ ମଣ୍ଡି ନଥିବା କାରଣରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସାଗ ମାଛ ଦରରେ କମ ମୂଲ୍ୟରେ ଦଲାଲ ପାଖରେ ବାଧ୍ୟ ହୋଇ ନିଜ କଷ୍ଟ ଉପାର୍ଜିତ ଶସ୍ୟ ବିକ୍ରି କରି ସେମାନେ ଶୋଷଣ ଶିକାର ହେଉଛନ୍ତି । ଜିଲ୍ଲାରେ ମକା କପା ମଣ୍ଡି ପାଇଁ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବି ଜଣାଇ ଆସୁଛନ୍ତି । ହେଲେ ଏ ଯାଏଁ କିଛି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଗୁରୁବାର 353 ନଂ ଜାତୀୟ ରାଜପଥ ତରବୋଡ ଠାରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଏବଂ ଚାଷୀଙ୍କ ସହ ଆଲୋଚନା କରିବା ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ