ନୂଆପଡା: କୋରୋନା ସଙ୍କଟ ମଧ୍ୟରେ ଜାରି ରହିଛି ଅପରାଧ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନାଗଝର ଗାଁରେ ଡବଲ ମର୍ଡର ଉଦ୍ୟମ । ଏହି ଘଟଣାରେ ଜଣେ ମୃତ ଜଣେ ଗୁରୁତର । ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ବେଳେ, ମୃତକଙ୍କ ଶରୀର ଭବାନୀପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଅଟକ ।
ସୂଚନା ଅନୁସାରେ ସିନାପାଲି ଥାନା ଅନ୍ତର୍ଗତ ନାଗଝର ଗାଁରେ ଗୁଣି ଗାରେଡି ସନ୍ଦେହକୁ ନେଇ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଯାଇଛି । ଆଜିକୁ 6, 7 ମାସ ପୂର୍ବେ ନାଗଝର ଗାଁରେ ଗୁଣିଗାରେଡି ବିଷୟକୁ ନେଇ ଗାଁ ଅଶାନ୍ତ ହୋଇପଡିଥିଲା । ଗାଁର ଦେବାନନ୍ଦ ଘିଭେଲା ଏବଂ ତାଙ୍କ ପୁତୁରା ଦେବଦର୍ଶନ ଘିଭେଲା କୁଆଡେ ଗୁଣିଗାରେଡି କରି ମନ୍ତ୍ରତନ୍ତ୍ର ସାଧନା ବଳରେ ଭୂତ ପ୍ରେତକୁ ଡାକୁଥିଲେ । ଯାହାର ପ୍ରଭାବରେ ନାଗଝର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଏକାଧିକ ଛାତ୍ରୀଙ୍କୁ ଭୂତ ପ୍ରେତ ଲାଗି ରହିଥିଲା । ଏଭଳି କାମ କରି ଉଭୟେ କକା ପୁତୁରା ଦେବୀ ସାଧନା କରି ଆସୁଥିବା ନାଗଝର ଗାଁ ଲୋକେ ସେତେବେଳେ ସିନାପାଲି ଥାନାରେ ଅଭିଯୋଗ କରିଥିଲେ ।
ସିନାପାଲି ପୋଲିସ ଏକ ମାମଲା ରୁଜୁ କରି ଉଭୟ ପକ୍ଷକୁ ବୁଝାସୁଝା କରି ଛାଡ଼ିଦେଇଥିଲା । ମଙ୍ଗଳବାର ସେହି ପୁରୁଣା ଘଟଣାକୁ କେନ୍ଦ୍ର କରି ଗୁଣିଗାରେଡି ସନ୍ଦେହରେ କକା ପୁତୁରାକୁ ଗାଁ ଲୋକେ ସମୂହ ଆକ୍ରମଣ କରିଥିଲେ । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭବାନୀପାଟଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ବେଳେ, କକା ଦେବାନନ୍ଦ ଘିଭେଲାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପୁତୁରା ଦେବଦର୍ଶନ ଘିଭେଲାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଘଟଣାକୁ ନେଇ ନାଗଝର ଗାଁ ଅଶାନ୍ତ ହୋଇପଡିଥିବା ବେଳେ, ଗାଁକୁ ସିନାପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ