ନୂଆପଡା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ । ଲାଞ୍ଚ ଦିଅ ଘର ନିଅ, ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ଏଭଳି ସର୍ତ୍ତ କରୁଛନ୍ତି ଗ୍ରାମପଞ୍ଚାୟତର କିଛି ଅଧିକାରୀ । ଦୁର୍ନୀତି ନିବାରଣ ସପ୍ତାହ ଚାଲିଥିବା ବେଳେ ଘରଟିଏ ଦେବା ପାଇଁ ଲାଞ୍ଚ ମାଗୁଛନ୍ତି ସରକାରୀ ବାବୁ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀମୁଣ୍ଡା ପଞ୍ଚାୟତର କୋଟାମାଳ ଗାଁରୁ ।
ତେବେ 2011 ସାମାଜିକ ଅର୍ଥନୈତିକ ଜନଗଣନା ତାଲିକାର କ୍ରମିକ ନମ୍ବର ଅନୁସାରେ, ଜଣକ ପରେ ଜଣକୁ ବାସଗୃହ ଦେବାର ନିୟମ ରହିଛି । ହେଲେ କୋଟାମାଳ ଗାଁରେ ସବୁ ନିୟମକୁ ଫୁ କରିଦେଇଛନ୍ତି ସରକାରୀ ବାବୁ । କ୍ରମିକ ନମ୍ବର ଅନୁସାରେ ଘର ଦେବା ବଦଳରେ ଟଙ୍କା ବଦଳରେ ମିଳୁଛି ଘର । ଏନେଇ ଆମେ ଖଡିଆଳ ବିଡିଓଙ୍କୁ ସାକ୍ଷାତ କରିଥିଲୁ । ସେ ଲାଞ୍ଚ କାରବାର ନ କରିବାକୁ ନିର୍ଦ୍ଦେଶ ଥିବା ନେଇ କହିବା ସହ ଯିଏ ଏଭଳି କାରବାରରେ ସମ୍ପୃକ୍ତ ଅଛି ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ବାସହରା ଗରିବ ଲୋକଙ୍କ ମୁଣ୍ଡ ଉପରକୁ ଛାତ ଟିଏ ଦେବାପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ଓ ଓଡିଶା ସରକାର ବିଜୁପକ୍କା ଗୃହ ଯୋଜନା କରିଛନ୍ତି । ଯାହାକି ଗରିବ ଲୋକମାନଙ୍କ ପାଇଁ ଆଶାବାଡି ସଦୃଶ୍ୟ । ହେଲେ ରାଣୀମୁଣ୍ଡା ଗ୍ରାମପଞ୍ଚାୟତରେ ଏସବୁ ଯୋଜନା ଯେମିତି ବାଟବଣା ହୋଇଯାଇଛି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ