ନୂଆପଡା: ସୀମା ବିବାଦ ଥମିବାର ନାଁ ନେଇ ନାହିଁ । କୋଟିଆ ବିବାଦ ଥମିନଥିବାବେଳେ ନୂଆପଡା ଜିଲ୍ଲା ସୀମାରେ ଛତିଶଗଡର ଦାଦାଗିରି । ଓଡିଶା ଜମି କବଜା କରିବା ଲକ୍ଷ୍ୟରେ ଛତିଶଗଡ । ନୂଆପଡା ବ୍ଲକ ଭାଇଶାଦରା,ଗୁର୍ଜିଭଟା ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ 3ଶହ ଏକର ରୟତି ଜମି ଏବଂ ସରକାରୀ ଜମି ଏବଂ ଜଙ୍ଗଲ ପାଣି ଉପରେ ନଜର ପକାଇଛି ଛତିଶଗଡ । ସୀମାବର୍ତ୍ତୀ ଅଞ୍ଚଳ କବଜା କରି ଛତିଶହଡ ବୃକ୍ଷରୋପଣ କରିବା ଯୋଜନା କରୁଛି ।
ମହାନଦୀରେ ବ୍ୟାରେଜ ନିର୍ମାଣ କରି ବିବାଦ ସୃଷ୍ଟି କରି ଚର୍ଚ୍ଚାକୁ ଆସିଥିବା ଛତିଶଗଡର ପୁଣି ଲୋଲୁପ ଦୃଷ୍ଟି । 2017 ମସିହାରେ ଛତିଶଗଡ଼ ସରକାର ନୂଆପଡା ଜିଲ୍ଲା ନୂଆମାଲଡା ମୌଜାର ପ୍ରାୟ 22ଏକର ଚାଷ ଜମିକୁ ବଳ ପ୍ରୟୋଗ କବଜା କରି ଛତିଶଗଡ଼ ରାଜ୍ୟ ବୁର୍ଜାବାହାଲ ଗାଁର ଜମିହୀନ ଚାଷୀଙ୍କୁ ବଣ୍ଟନ କରିଥିଲା । ଏହା ପରେ ଓଡିଶା ଛତିଶଗଡ ମଧ୍ୟରେ ସୀମା ବିବାଦ ମୁଣ୍ଡ ଟେକିଥିଲା । ଏବେ ପୁଣି ନୂଆପଡା ସଦର ବ୍ଲକ ଭଇଶାଦରା,ଗୁର୍ଜିଭଟା ସୀମାବର୍ତ୍ତୀ ଜମି ଉପରେ ଛତିଶଗଡର ଦାଦାଗିରି ଆରମ୍ଭ କରିଛି । ନୂଆପଡା ଜିଲ୍ଲାର ସୀମାବର୍ତ୍ତୀ ଜମି ଉପରେ ଗାତ ଖୋଳି ପାଚେରି ଦେଇ ଗଛ ଲଗାଇବା ଯୋଜନା କରୁଛି ଛତିଶଗଡ଼ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚ ନୂଆପଡା ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ନୂଆପଡା ସୀମା ଭିତରକୁ ଛତିଶଗଡ ଅବାଧ ପ୍ରବେଶ କରି ଜମିହୀନ ହିତାଧିକାରୀଙ୍କୁ ଓଡ଼ିଶା ଜମିକୁ ନେଇ ବଣ୍ଟନ କରିଛି ଛତିଶଗଡ଼ । ଅଭିଯୋଗ ପାଇବାପରେ ନୂଆମାଲଡା ସୀମାକୁ ତତକାଳୀନ ଜିଲ୍ଲାପାଳ,ସମ୍ବଲପୁର RDC, ରାଜସ୍ବ ବିଭାଗର ସମସ୍ତ ଅଧିକାରୀ ସୀମା ମାପଚୁପ କରିଥିଲେ । ହେଲେ ଏଯାଏଁ ତୁଟିନାହିଁ ସୀମା ବିବାଦ । ଏବେ ପୁଣି ଭାଇଶାଦରା ,ଗୁର୍ଜିଭଟା ସୀମାରେ ଛତିଶଗଡର ଅନୁପ୍ରବେଶ ସ୍ଥାନୀୟ ଲୋକଙ୍କୁ ଉତ୍ତେଜନା ସୃଷ୍ଟି କରୁଛି ।
ସେପଟେ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହାକ ଯଦୁମଣି ପାଣିଗ୍ରାହୀ ,କେନ୍ଦୁବାହାରା ସରପଞ୍ଚ, ୱାର୍ଡ ମେମ୍ବର ସମେତ ସ୍ଥାନୀୟ ଲୋକେ ସୀମା ଅଞ୍ଚଳକୁ ପରିଦର୍ଶନ କରି ଛତିଶଗଡ଼ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେପଟେ କେନ୍ଦୁବାହାରା ଗ୍ରାମ ପଞ୍ଚାୟତ ଭାଇଶାଦରା,ଗୁର୍ଜିଭଟା ସୀମାକୁ ଯେପରି ଛତିଶଗଡ ନ ଆସେ ସେଥିପ୍ରତି ନୂଆପଡା ଜିଲ୍ଲା ପ୍ରଶାସନର କଡା ନଜର ରହିଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ