ନୂଆପଡ଼ା: ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଭାଲେଶ୍ବର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ବାଇ ଅଗ୍ରୱାଲଙ୍କ ଅଭିନବ ପ୍ରୟାସ । ଡ୍ରୋନ ସାହାଯ୍ୟରେ ପଠାଇଲେ ମଧୁବାବୁ ପେନସନ ଟଙ୍କା । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭାଲେଶ୍ବର ଠାରୁ ୨ କିଲୋମିଟର ଦୂରତା ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଭୂତକାପଡା ଗାଁର ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସେ ଟଙ୍କା ପଠାଇଛନ୍ତି । ସରପଞ୍ଚଙ୍କ ଏଭଳି ନିଆରା ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ଭୂତକାପଡା ଗାଁର ଦିବ୍ୟାଙ୍ଗ ହିତାଧିକାରୀ ହେତୁରାମ ସତନାମୀଙ୍କ ପାଖକୁ ପହଞ୍ଚିଲା ମଧୁବାବୁ ପେନସନ ଟଙ୍କା । ଟଙ୍କା ପାଇବା ପରେ ଦିବ୍ୟାଙ୍ଗ ହିତାଧିକାରୀ ହେତୁରାମ ସତନାମୀ ସରପଞ୍ଚ ସରୋଜ ବାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହିତାଧିକାରୀ ହେତୁରାମ ସତନାମୀ ଜନ୍ମରୁ ଦିବ୍ୟାଙ୍ଗ ଥିବା ବେଳେ ଯାତାୟାତ କରିପାରନ୍ତି ନାହିଁ । ସେ ଜଣେ ଶଯ୍ୟାଶାୟୀ ଦିବ୍ୟାଙ୍ଗ ବୋଲି ଜଣାପଡ଼ିଛି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭାଲେଶ୍ବରଠାରୁ ଭୂତକାପଡାକୁ ଯିବାକୁ ହେଲେ ପ୍ରାୟ ୨କିଲୋମିଟର ଦୂରତା ଘଞ୍ଚ ଜଙ୍ଗଲ ପଡିଥାଏ । ଘଞ୍ଚ ଜଙ୍ଗଲ ସାଙ୍ଗକୁ ଅନାବନା ବାଟ ଚଲା ରାସ୍ତା ଅତିକ୍ରମ କରିବାକୁ ପଡିଥାଏ, ଯାହାକି ହେତୁରାମଙ୍କ ପାଇଁ କଷ୍ଟକର ।
ଅନ୍ୟପଟେ କୌଣସି ଗାଡି ମୋଟର ଭୂତକାପଡା ଗାଁକୁ ଯିବା ସମ୍ଭବ ନୁହେଁ । ଭୂତକାପଡା ଗାଁରେ ପ୍ରାୟ ୧୦ରୁ ୧୫ଗୋଟି ଗରିବ ପରିବାର ବାସ କରନ୍ତି । ସେଠାରେ ଦିବ୍ୟାଙ୍ଗ ହେତୁରାମ ସତନାମୀ ମଧ୍ୟ ବାସ କରନ୍ତି । ହେତୁରାମ ସତନାମୀ ପେନସନ ଟଙ୍କା ପାଇବା ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଭାଲେଶ୍ବରକୁ ଯାତାୟାତ କରିବା ସମ୍ଭବ ନୁହେଁ । ଫଳରେ ଭାଲେଶ୍ବର ସରପଞ୍ଚ ସରୋଜ ବାଇ ଅଗ୍ରୱାଲ ଦିବ୍ୟାଙ୍ଗ ହେତୁରାମ ସତନାମୀ ପାଇଁ ଚିନ୍ତିତ ଥିଲେ । ସରପଞ୍ଚଙ୍କ ମନରେ ହଠାତ ନିଆରା ଭାବନା ଆସିବା ପରେ ସେ ଏହାକୁ ବାସ୍ତବ ରୂପ ଦେଇଛନ୍ତି ।
ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ବିଜେପି
ଏହାପରେ ଡ୍ରୋନକୁ କାମରେ ଲଗାଇବା ଚିନ୍ତା କରିଥିଲେ । ଏହାପରେ ସେ ଏକ ଡ୍ରୋନ କିଣି ଏହା ସାହାଯ୍ୟରେ ମଧୁବାବୁ ପେନସନ ଟଙ୍କା ପଠାଇବା ପ୍ରୟାସ କରିଥିଲେ । ଶେଷରେ ସଫଳ ମଧ୍ୟ ହୋଇଛନ୍ତି ସରପଞ୍ଚ ସରୋଜ ବାଇ । ଡ୍ରୋନ ସାହାଯ୍ୟରେ ପେନସନ ପାଇ ହେତୁରାମ ସତନାମୀ ବେଶ ଖୁସିଥିବା ସହ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରପଞ୍ଚଙ୍କ ଏଭଳି ନିଆରା ପଦକ୍ଷେପ ଲାଗି ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି ।
ଏନେଇ ସରପଞ୍ଚ ସରୋଜ ବାଇ କହିଛନ୍ତି," ନିର୍ବାଚନ ହେବାପରେ ସାଧାରଣ ଲୋକଙ୍କ ସମସ୍ୟାକୁ ସହଜରେ ସମାଧାନ କରିବା ମୋର ସପ୍ନ ଥିଲା । କିଛି ନୂଆ କାର୍ଯ୍ୟକରି ଦେଖାଇବା ମୋର ପ୍ରୟାସ ରହିଥିଲା । ଭାଲେଶ୍ବର ଗ୍ରାମପଞ୍ଚାୟତର ବିଚ୍ଛିନାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଖକୁ କିଭଳି ସୁବିଧା ପହଞ୍ଚିବ, ରାସ୍ତା ନଥିବା ଗାଁ ଗୁଡିକୁ କିଭଳି ସହଜରେ ପହଞ୍ଚି ହେବ ଏଭଳି ଅନେକ କଥା ମୁଁ ଭାବୁଥିଲି । ହଠାତ ଦିନେ ଖବର କାଗଜରେ ପଢ଼ିଲି । ବିଦେଶରେ ଡ୍ରୋନ ସାହାଯ୍ୟରେ ଅନେକ କାମ ହୋଇପାରୁଛି । ସେଠାରୁ ମୋ ମନରେ ଏକ ନୂଆ ଚିନ୍ତାଧାରା ଜାଗ୍ରତ ହେଲା । ଏହାପରେ ଡ୍ରୋନ ସାହାଯ୍ୟରେ ମଧୁବାବୁ ପେନସନ ଟଙ୍କା ପଠାଇବା ପ୍ରୟାସ କଲି । ଶେଷରେ ସଫଳ ମଧ୍ୟ ହେଲି ।"
ଇଟିଭି ଭାରତ, ନୂଆପଡ଼ା