ନୂଆପଡା: ଖଡ଼ିଆଳ ଥାନା ଛକ ନିକଟରେ ରବିବାର ଏକ ବାଛୁରୀକୁ ଅଜଣା ଗାଡି ଧକ୍କା ଦେଇଛି । ବାଛୁରୀଟି ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ଖଡ଼ିଆଳ ସମଲେଇ ସେନା ଅଧ୍ୟକ୍ଷ ପ୍ରଦୀପ କୁମାର ଢିଣ୍ଡିଆ ଓ ତାଙ୍କ ଟିମ ପକ୍ଷରୁ ଆହତ ବାଛୁରୀକୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଆଶୁ ଚିକିତ୍ସା ଯୋଗାଇ ଦେଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଖଡ଼ିଆଳ ଥାନା ନିକଟରେ ଏକ ବାଛୁରୀକୁ ଅଜଣା ଗାଡି ଧକ୍କା ଦେଇଥିଲା । ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଆହତ ବାଛୁରୀଟି ଯନ୍ତ୍ରାଣରେ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିଲା । ତେବେ ପଥଚାରୀମାନେ ଘଟଣାକୁ ସ୍ଵଚକ୍ଷୁରେ ଦେଖି ଚାଲି ଯାଉଥିବାବେଳେ ବାଛୁରୀଟି ଜୀବନ ମରଣ ସହ ସଂଗ୍ରାମ କରୁଥିଲା ।
ଖବର ପାଇ ଖଡ଼ିଆଳ ସମଲେଇ ସେନା ସଦସ୍ୟ ଗଣ ଘଟଣାସ୍ଥଳକୁ ପହଞ୍ଚି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଡାକି ଆହତ ବାଛୁରୀକୁ ଆଶୁ ଚିକିତ୍ସ ଯୋଗାଇ ଦେଇଛନ୍ତି । ସମଲେଇ ସେନାର ଏଭଳି ମନୋଭାବକୁ ସହରବାସୀ ପ୍ରଶଂସା କରିଥିବାବେଳେ ପଶୁପକ୍ଷୀମାନଙ୍କ ସୁରକ୍ଷା ପ୍ରତି ସ୍ଥାନୀୟ ପ୍ରଶାସନ ଓ ନାଗରିକମାନେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ