ନୂଆପଡା: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଲୋକଙ୍କ ମନରେ ତାଜା ରହିଥିବା ବେଳେ ଏବେ ରାଜ୍ୟରେ ଆଉ ଏକ ଟ୍ରେନରେ ନିଆଁ ଲାଗିବାର ଖବର ଆସିଛି । ନୂଆପଡା ଜିଲ୍ଲା ଖରିଆର ରୋଡ ରେଳ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ଏହି ନିଆଁ ଲାଗିଛି । ଗତକାଲି(ବୁଧବାର) ରାତି ପ୍ରାୟ ୧୦ଟା ସମୟରେ ଟ୍ରେନର ଚକ ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଷ୍ଟେସନ ପରିସର ପୁରା ଧୂଆଁମୟ ହୋଇଯାଇଥିଲା । ଯାହା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଜୀବନ ବିକଳରେ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଏଣେତେଣେ ଦୌଡିବାକୁ ଲାଗିଥିଲେ ।
ସୂଚନା ଅନୁଯାୟୀ, ବୁଧବାର ରାତ୍ରିରେ ଛତିଶଗଡ଼ ରାଜ୍ୟରୁ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ପୁରୀ ଅଭିମୁଖେ ବାହାରିଥିଲା । ରାତ୍ରି ପ୍ରାୟ ୧୦ଟା ସମୟରେ ଏହି ଦ୍ରୁତଗାମୀ ଏକ୍ସପ୍ରେସ ଓଡିଶାରେ ପ୍ରବେଶ କରିଥିଲା । ନୂଆପଡା ଜିଲ୍ଲାର ପ୍ରଥମ ରେଳ ଷ୍ଟେସନ ଖରିଆର ରୋଡରେ ପହଞ୍ଚିଥିଲା । ଏହି ସମୟରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସର B3 AC କୋଚ ତଳ ଚକରେ ନିଆଁ ଲାଗିଥିବା ଲୋକ ପାଇଲଟ ଓ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପ୍ରବଳ ଧୂଆଁ କ୍ଷଣିକ ମଧ୍ୟରେ ବ୍ୟାପି ଯିବା ପରେ ଲୋକ ପାଇଲଟ ତତ୍କ୍ଷଣାତ ରେଳ କର୍ମଚାରୀମାନଙ୍କୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।
ଏହାମଧ୍ୟ ପଢନ୍ତୁ: ଯାଜପୁରରେ ମାଲବାହୀ ବଗି ଚଢିବା ଘଟଣା, ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି
ଅନ୍ୟପଟେ ନିଆଁ ଲାଗିଥିବା ଦେଖି କିଛି ଯାତ୍ରୀ ଟ୍ରେନରୁ ତଳକୁ ଓହ୍ଲାଇ ଜୀବନ ବିକଳରେ ଯିଏ ଯେଉଁ ପଟେ ଦୌଡ଼ିବା ଆରମ୍ଭ କରିଥିଲେ । ବାହାନଗା ରେଳ ଦୁର୍ଘଟଣା କାଳ ରାତ୍ରିର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଟ୍ରେନରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ । ରୋଡ଼ ରେଳ ଷ୍ଟେସନରେ ଭୟର ବାତାବରଣ ଖେଳିଯାଇଥିଲା । ନିଆଁକୁ ଆୟତ୍ତ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ରାତି ୧୧ଟା ପରେ ସେଠାରୁ ଟ୍ରେନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଥିବା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏବେ ମଧ୍ୟ ଆତଙ୍କିତ ଅଛନ୍ତି । ଟ୍ରେନ ଯାତ୍ରାକୁ ସୁରକ୍ଷିତ ନମଣି କିଛି ଯାତ୍ରୀ ଖରିଆର ରୋଡ଼ ରେଳ ଷ୍ଟେସନରେ ଓହ୍ଲାଇ ନିଜ ଘରକୁ ଫେରି ଯାଇଥିବା ଦେଖାଦେଇଛି । ଏହାସହ ଏସି ନ ଚାଲିବାକୁ ନେଇ ଉତ୍ତେଜନା ପ୍ରକାଶ କରିଥିଲେ ।
ଇଟିଭି ଭାରତ, ନୂଆପଡା