ନୟାଗଡ଼: ନିଖୋଜ 3 ବର୍ଷର ଶିଶୁ ସ୍ବାତୀର ମୃତଦେହ ଗାଁ ନିକଟସ୍ଥ ପୋଖରୀରୁ ମଙ୍ଗଳବାରୁ ମିଳିବା ପରେ ଗୁରୁବାର ସ୍ବାତୀକୁ ଗାଁରେ ସମାଧି ଦିଆଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ବଧିପାଟଣା ଗ୍ରାମର ଏକ ପୋତା ପୋଖରୀର ପୋଲିସର ଉପସ୍ଥିତିରେ ସ୍ବାତୀକୁ ସମାଧି ଦିଆଯାଇଛି ।
ଜିଲ୍ଲାର ରଣପୁର ଥାନା ଅଧିନ ବଧିପାଟଣା ଗ୍ରାମରେ ଗୁରୁବାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଚର୍ଚ୍ଚିତ ସ୍ଵାତୀ ଘଟଣାରେ ପ୍ରଥମେ ନିଖୋଜ ଏବଂ 5 ଦିନ ପରେ ଗାଁ ପୋଖରୀରୁ ମୃତଦେହ ମିଳିବା ଘଟଣା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସ୍ବାତୀକୁ ଅପହରଣ ପରେ ହତ୍ୟା କରି କେହି ପୋଖରୀରେ ପକେଇଦେଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ମୃତଦେହ ମିଳିବା ପରେ ପୋଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତକୁ ଜୋରଦାର କରିବା ସହ ଘଟଣାର ସତ୍ୟାସତ୍ୟ ଉପରେ ଖୋଳ ତାଡ଼ ଜାରି ରଖିଛି ।
ପୋଖରୀରୁ ମଙ୍ଗଳବାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଥିଲା । ବୁଧବାର ରାତିରେ ସ୍ବାତୀର ମୃତଦେହ ଆସି ଗାଁରେ ପହଞ୍ଚିଥିଲା । ଗ୍ରାମରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ପୋତା ପୋଖରୀଠାରେ ସ୍ବାତୀକୁ ସମାଧି ଦିଆଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ଵାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସ୍ବାତୀ ପୋଖରୀରେ ବୁଡି ମୃ୍ତ୍ୟୁବରଣ କରିଥିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନଥିବାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ