ନୟାଗଡ: ରୀତିଯୁଗର ଶେଷ ତଥା ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର । ଓଡିଆ କାବ୍ୟ ସାହିତ୍ୟ ଜଗତରେ ଜଣାଶୁଣା ନାମ । କାବ୍ୟ ରାଘବ ବିଳାସ ତାଙ୍କୁ କରିଛି କାଳଜୟୀ l ଓଡିଆ ସାହିତ୍ୟକୁ ତାଙ୍କର ଯେତିକି ଅବଦାନ ରହିଛି, ତାହା ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ।
ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର 1781 ଜାନୁଆରୀ 8 ତାରିଖ ଜନ୍ମ ଗ୍ରହଣ କରିଥିଲେ । 1866 ଜୁଲାଇ 2 ତାରିଖରେ ତାଙ୍କର ତିରୋଧାନ ହୋଇଥିଲା । ପିତା ମୁକୁନ୍ଦ ମହାପାତ୍ର ଓ ମାତା ଶୋଭା ଦେଇଙ୍କ ଓୌରସର ଜାତ ହୋଇଥିଲେ ସେ । ପରେ ଖଞ୍ଜନା ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ ।
କବି ଗଞ୍ଜାମର ଆଠଗଡ ଠାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡର ଇଟାମାଟି ଠାରେ ହିଁ ବିତିଥିଲା । ଯାହାକୁ ଆଜି ବି ଝୁରୁଛି ଇଟାମାଟି ।
କବି ଯଦୁମଣି, ନୟାଗଡର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ । ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସମ୍ମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ ।
କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ। ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ ତୀବ୍ର ନିନ୍ଦା କରିବା ସହିତ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ମଧ୍ୟ ଦେଉଥିଲେ ।
କବି ତାଙ୍କର ଦାରିଦ୍ର ପୂର୍ଣ୍ଣ ଜୀବନ ଭିତରେ ଅନେକ କାବ୍ୟ କବିତାମାନ ରଚନା କରିଛନ୍ତି । ତାହା ମଧ୍ୟରୁ ଅନ୍ୟତମ ବା ପ୍ରସିଦ୍ଧ ଦୁଇଟି କାବ୍ୟ ହେଉଛି ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର।
ଯଦୁମଣି ନିଜର କୌଳିକ ବୃତ୍ତି ଚିତ୍ର କଳା ଓ କାଷ୍ଠ ମୂର୍ତ୍ତି ପ୍ରସ୍ତୁତି କରି ଗୁଜୁରାଣ ମେଣ୍ଟାଉଥିଲେ । ଏହି କୌଳିକ ବୃତ୍ତିକୁ ଆଜି ବି ତାଙ୍କ ବଂଶଧର ମାନେ ବଞ୍ଚାଇ ରଖିଛନ୍ତି । କବିଙ୍କ ସେଇ ତାଳପତ୍ର ପୋଥି, ପ୍ରବନ୍ଧ ଓ କବିଙ୍କର ସେଇ ହାତ ତିଆରି ସୌନ୍ଦର୍ଯ୍ୟପୂର୍ଣ୍ଣ କିଛି ଚିତ୍ର କଳାକୁ ଆଦିକୁ ସାଇତି ରଖିଛନ୍ତି ପରିବାର ଲୋକେ ।
ଆହୁରି ଅନେକ କୃତି ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହୋଇଯାଇଛି । ତେବେ ତାଙ୍କର ନାତି ଓ ଅଣନାତି ଯଦୁମଣିଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ କରୁଥିବା ଦେଖାଦେଇଛି । ଯଦୁମଣୀଙ୍କ ଷଷ୍ଠପିଢି ରୋହନ ମହାପାତ୍ର ଯଦୁମଣିଙ୍କ ପ୍ରଚାରପ୍ରସାର ପାଇଁ ସଦା ଉଦ୍ୟମ କରୁଥିବାବେଳେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ପାଖେ ଯଦୁମଣି କିଭଳି ଆହୁରି ପରିଚିତ ହୋଇପାରିବେ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି ।
ତେବେ ଯଦୁମଣିଙ୍କର ସ୍ମୃତି ଓ କୃତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ କିଛି ବି ପଦକ୍ଷେପ ନିଆଯାଇନାହିଁ। ଏମିତି କି ନୟାଗଡ ଜିଲ୍ଲାର କୌଣସି ସ୍ଥାନରେ କବିଙ୍କର ପ୍ରତିମୂର୍ତ୍ତି ଟିଏ ମଧ୍ୟ ଦେଖିବାକୁ ମିଳେନାହିଁ । ଯାହା କେବଳ ଇଟାମାଟିରେ ଗୋଟିଏ ପ୍ରତିମୂର୍ତ୍ତି ରହିଛି, ସେହି ପ୍ରତିମୂର୍ତ୍ତିକୁ ମଧ୍ୟ ଜଣେ ବ୍ୟକ୍ତି ତିଆରି କରାଇଥିବାର ଜଣାପଡିଛି।
ତେବେ କବିଙ୍କର ସ୍ମୃତି ଓ କୃତିକୁ ରକ୍ଷା ପାଇଁ ପ୍ରତିମୂର୍ତ୍ତି ସ୍ଥାପନ ଓ କାବ୍ୟ କବିତାକୁ ପାଠ୍ୟକ୍ରମରେ ସାମିଲ କଲେ ଏହାର ଲାଭ ସମସ୍ତ ଛାତ୍ରଛାତ୍ରୀ ପାଇପାରନ୍ତେ । ଯାହା ଜୟନ୍ତୀରେ କାଳଜୟୀ କବିଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ