ନୟାଗଡ: ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି କଳାକାର । ସେମାନଙ୍କୁ ବି ସରକାରଙ୍କର ସମସ୍ତ ଯୋଜନାର ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକତା ରହିଛି । ସେମାନେ ଯେପରି କୌଣସି ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ନୟାଗଡ କଳା ସଂଘ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି ।
ଓଡଗାଁ ବ୍ଲକ ରାମସାଗର ପାର୍କ ନିକଟ କଲ୍ୟାଣିମଣ୍ଡପ ଠାରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ଏବଂ ସଂସ୍କୃତି,କଳା ପରିଷଦ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଲଡୁବାବା ଏବଂ ରଘୁନାଥ ଜୀଉ ସଂଘ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଅଛି । କଳାକାର ଯେପରି କଳାକାର ଭତ୍ତା ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେମାନଙ୍କର ଉନ୍ନତି ଉପରେ ବୈଠକରେ ଆଲୋଚନା ହୋଇଛି ।
ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ସଦସ୍ୟ କଳାକାର ଭତ୍ତା ପାଉଛନ୍ତି । ଆଗାମୀ ଦିନରେ ସମସ୍ତ କଳାକାରଙ୍କୁ ସୁନିଶ୍ଚିତ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ଏବଂ ଏଥିରୁ ଯେମିତି କେହି ବଞ୍ଚିତ ନ ହୁଅନ୍ତି ସେ ଦିଗରେ କାର୍ଯ୍ୟ କରାଯିବା ସହ ସେମାନଙ୍କ ଉନ୍ନତିକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ।
ଏହି ବୈଠକରେ ରାଜ୍ୟସ୍ତରୀୟ ସଂକୀର୍ତ୍ତନ ସଂଘର ସଭାପତି ଏବଂ ସମ୍ପାଦକଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ,ଓଡ଼ଗାଁ ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ କବିତା କୁମାରୀ ପ୍ରଧାନ ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ବିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଓଡଗାଁ ବ୍ଲକର ବହୁ କଳାକାର ମଧ୍ୟ ସାମିଲ ଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ