ନୟାଗଡ: ରଣପୁର ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ । ଅଭିଯୋଗର 72 ଘଣ୍ଟା ଭିତରେ ଅଭିଯୁକ୍ତକୁ ବାନ୍ଧିଲା ଚାନ୍ଦପୁର ପୋଲିସ । ଘଟଣା ଭିଆଇ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବାବେଳେ ଶୁକ୍ରବାର ଖୋର୍ଦ୍ଧାରୁ ତାକୁ ଗିରଫ କରାଯାଇଛି ।
ଅଭିଯୋଗ ଅନୁସାରେ, ପୀଡିତାଙ୍କ ବାପା ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାମ କରନ୍ତି । ଘଟଣା ଦିନ ତାଙ୍କ ମାଆ ଓ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ବାରଂଗାଡିଆ ଗାଁର ପ୍ରେମାନନ୍ଦ ଓରଫ ମଙ୍ଗୁଳି(35) ଘର ପଛୁ ପଟୁ ପଶି ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହାପରେ ଅଭିଯୁକ୍ତ ରକ୍ତ ଜୁଡୁବୁଡ ନାବାଳିକାକୁ ଛାଡି ଫେରାର ହୋଇଯାଇଥିଲା ।
ଏନେଇ ପୀଡିତାଙ୍କ ମାଆ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଚାନ୍ଦପୁର ପୋଲିସ ଅଭିଯୁକ୍ତ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଥିଲା । ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଜେଲକୁ ପଠାଯାଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ