ନୟାଗଡ: ପୁଣି ଚର୍ଚ୍ଚାରେ ସୁବାଶିଷ ଷଡଙ୍ଗୀ । ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ନ୍ୟାୟ ଦାବି କରି ଚର୍ଚ୍ଚାରେ ଥିବା ସୁବାଶିଷ ଷଡଙ୍ଗୀ ଏବଂ ପରୀଙ୍କ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ ନୟାଗଡରେ ଜୁନ 14 ତାରିଖରେ ପରୀ(5) ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ପରେ 23 ତାରିଖରେ ପରୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପରୀଙ୍କୁ କିଏ ଓ କାହିଁକି ଅପହରଣ କରି ହତ୍ୟା କଲା ତାକୁ ନେଇ ସାରାରାଜ୍ୟ ସନ୍ଦେହ ଘେରରେ । ଅନ୍ୟପଟେ ପରୀଙ୍କୁ ନ୍ୟାୟଦେବା ଦାବିରେ 2 ସମାଜସେବୀ ଭୁବନ ଚାନ୍ଦ ହାତୀ ଏବଂ ଶାନ୍ତନୁ ବିଶୋୟୀ 3 ଦିନ ହେବ ଆମରଣ ଅନଶନରେ ବସିଛନ୍ତି ।
ଅନ୍ୟପଟେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ନ୍ୟାୟ ଦାବି କରି ଚର୍ଚ୍ଚାରେ ଥିବା ସୁବାଶିଷ ଗତକାଲି(ଗୁରୁବାର) ନୟାଗଡକୁ ଯାଇ ଅନଶନରେ ବସିଥିବା 2 ସମାଜସେବୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ସୁବାଶିଷ ପରୀଙ୍କ ବାପା ଓ ମାଆଙ୍କ ସହ ଆଲୋଚନା କରିଛନ୍ତି । ତେବେ ସୁବାଶିଷ ନିଜ ଫେସବୁକ ଆକାଉଣ୍ଟରେ ପରୀ ବାପାମାଆଙ୍କ ସହ ଆଲୋଚନା ବେଳର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ପରିବାର ଲୋକଙ୍କୁ କିଭଳି ଭାବେ ଧମକ ଦିଆଯାଉଛି ସେ ବାବଦରେ ପରୀଙ୍କ ବାପା କହୁଥିବାର କୁହାଯାଉଛି ।
ସେପଟେ ପରୀଙ୍କ ନ୍ୟାୟ ଦାବିକରି କିଛିଦିନ ପୂର୍ବେ ଏସପି ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲା କଂଗ୍ରେସ । ଏବେ ସୁବାଶିଷ ପରୀଙ୍କ ପାଇଁ ସାମ୍ନାକୁ ଆସିଥିବାରୁ ସୋସିଆଲ ମିଡିଆରେ ପରୀଙ୍କ ନ୍ୟାୟ ପାଇଁ ଦାବି ଜୋର ଧରିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ