ନୟାଗଡ଼: ବିଭିନ୍ନ ଦାବି ନେଇ ନୟାଗଡ଼ ସମବାୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣା ଦେଲେ ନନ୍ କ୍ୟାଡର ସମବାୟ ସମିତି ସଙ୍ଘ ଏବଂ ଡାଟାଏଣ୍ଟ୍ରି ଅପରେଟର ସଙ୍ଘ । ଗୋଲଗାଁ ସମବାୟ ସମିତିରେ କାର୍ଯ୍ୟରତ କର୍ମଚାରୀ ମାନସ ମିଶ୍ର ପୂର୍ବରୁ ନିଲମ୍ବିତ ହୋଇଥିଲେ । ପୁନଃ ତାଙ୍କୁ ଥଇଥାନ ପାଇଁ ସେ ବାରମ୍ବାର ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନିରାଶ ହୋଇଥିଲେ । ସେ ମାନସିକ ଚାପରେ ରହିଥିଲେ । ଗତକାଲି(ରବିବାର) ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଏଥିପାଇଁ ବିଭାଗୀୟ ଅଧିକାରୀ ଦାୟୀ ବୋଲି ଅଭିଯୋଗ ଆଣି ଡାଟାଏଣ୍ଟ୍ରି ଅପରେଟର ସଙ୍ଘ ଅଭିଯୋଗ ଆଣିଛି । ମୃତ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ସହ ପରିବାରର ଜଣଙ୍କୁ ଚାକିରୀ ଦେବା ଦାବି ହୋଇଛି । ଏହାକୁ ନେଇ ଜିଲ୍ଲା ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାଇଁ ଧାରଣା ଦିଆଯାଇଛି ।
ସେପଟେ ସମବାୟ ସମିତିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ପାରିଶ୍ରମିକ ବୃଦ୍ଧି, ସହ-ସମ୍ପାଦକ ପଦବୀର ପଦ ଉନ୍ନତି ଭଳି ୩ଦଫା ଦାବି ନେଇ ଜିଲ୍ଲାର ସମବାୟ ଡାଟା ଏଣ୍ଟ୍ରି ଅପରେଟର ସଙ୍ଘ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି ଦେଖିବାକୁ ମିଳିଛି । ଉଭୟ ସଙ୍ଘର ଦାବି ପୂରଣ ନହେବାଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ କର୍ମଚାରୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ