ନୟାଗଡ଼ : ଜିଲ୍ଲାର ଚାନ୍ଦପୁର କୋଭିଡ଼ ସେଣ୍ଟରରେ ପୁଣି ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଚିକିତ୍ସାଧିନ ଥିବା ଜଣେ କୋଭିଡ ଆକ୍ରାନ୍ତଙ୍କର ଚିିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ ଗତ କିିଛି ଦିନ ହେବ ଲଗାତାର ଭାବେ ମେଡ଼ିକାଲରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ସାଧାରଣ ଲୋକେ କୋଭିଡ଼ ଆଳରେ ନାହିଁ ନଥିବା ହଇରାଣ ହରକତ ହେଉଛି । ତେବେ ଚାନ୍ଦପୁର ମେଡ଼ିକାଲ ଭିତରେ କେତେବେଳେ କଣ ଘଟୁଛି ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ରଖିଛି ।
ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ିର ଯଶୋବନ୍ତ ଜେନା ଗତ 3 ଦିନ ଧରି ଚାନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ମେଡିକାଲରେ ତାଙ୍କୁ ମାରଧର କରାଯାଉଥିବା ଘରକୁ ଫୋନ କରି ଜଣାଇଥିଲେ ଯଶୋବନ୍ତ । ପରେ ଯଶୋବନ୍ତଙ୍କ ଠାରୁ ମେଡ଼ିକାଲ କର୍ମଚାରୀ ମୋବାଇଲ ଛଡ଼ାଇନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେବେ ଠାରୁ ପୁଅ ସହ ଯୋଗାଯୋଗ ହୋଇପାରିନଥିବା ପରିବାର କହିଥିଲା
ଆଜି ପରିବାର ଲୋକେ ପୁଅର ଚିକିତ୍ସା କଥା ପଚାରି ବୁଝିବାରୁ ସେ ସୁସ୍ଥଥିବା ମେଡିକାଲ କର୍ତ୍ତୁୁପକ୍ଷ ଜଣାଇଥିଲେ । ହେଲେ ତାର ମାତ୍ର 3 ଘଣ୍ଟା ପରେ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ସୁସ୍ଥ ଥିବା ପୁଅ 3 ଘଣ୍ଟାରେ କିଭଳି ହଠାତ ମୃତ୍ୟୁ ହେଲା ତାକୁ ନେଇ ପରିବାର ଲୋକେ ସନ୍ଦେହ କରିବା ସହ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଅର କିଡ଼ନୀ ଏବଂ ଆଖି ଚୋରୀ ଭଳି ସଙ୍ଗୀନ ଅଭିଯୋଗ ଆଣିବା ସହ ପରିବାର ପକ୍ଷରୁ ଏନେଇ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ